ରାଜନୀତିରେ ମାଗଣା ବିଜୁଳି: କଂଗ୍ରେସ ବିଜେପି ପରେ ଆପର ଘୋଷଣା, କେଉଁ ପ୍ରତିଶ୍ରୁତିକୁ ଲୋକେ କରିବେ ବିଶ୍ୱାସ?

120

କନକ ବ୍ୟୁରୋ: ବିରୋଧୀ ଦଳ କ୍ଷମତାକୁ ଆସିଲେ ସାରା ଦେଶରେ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦିଆଯିବ । ବିରୋଧୀ ଇଣ୍ଡିଆ ମେଂଟର ସଦସ୍ୟ ଆମ୍ ଆଦମୀ ପାର୍ଟି ଏହି ଘୋଷଣା କରିଛି । ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦ଟି ଗ୍ୟାରେଂଟି ଦେଇଛନ୍ତି । ଯେଉଁଥିରେ ମାଗଣା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କଥା ସହ ବାର୍ଷିକ ୨ କୋଟି ନିଯୁକ୍ତି ବାବଦରେ ଉଲ୍ଲେଖ ରହିଛି । ସେହିପରି ଚୀନଠାରୁ ଭାରତର ଜମି ଫେରାଇ ଅଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ବିଭିନ୍ନ ରାଜନୈତିକ ଦଳ ମାଗଣା ବିଜୁଳି ବାବଦରେ ପ୍ରତିଶ୍ରୁତି ଦେଉଛନ୍ତି । ବିଜୁଳି ବିନା ଏବେ ଜୀବନ ଅତିବାହିତ ହେବା ସମ୍ଭବ ନୁହେଁ । ଏପରି ସ୍ଥିତିରେ ନିର୍ବାଚନ ବେଳେ ବିଜୁଳି ଗୋଟିଏ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ ତାରିଖରେ ଦିଲ୍ଲୀରେ ମତଦାନ ହେବ । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଜାମିନରେ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିୱାଲ ମାଗଣା ବିଜୁଳି ବାବଦରେ ଘୋଷଣା କରିଛନ୍ତି । ପୂର୍ବରୁ କଂଗ୍ରେସ ୨୦୦ ୟୁନିଟ୍ ମାଗଣା ବିଜୁଳି ବାବଦରେ ପ୍ରତିଶ୍ରୁତି ଦେଇଥିବା ବେଳେ ବିଜେପି ମଧ୍ୟ ପିଏମ୍ ତ୍ସର୍ଯ୍ୟ ଘର ଯୋଜନାରେ ମାଗଣା ବିଜୁଳି ଯୋଗାଇଦେବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି । ଆଉ ଏହାରି ଭିତରେ ଆପ୍ ମାଗଣା ବିଜୁଳି ସହିତ ୧୦ ଗ୍ୟାରେଂଟ ଦେଇଛି ।

– ସାରା ଦେଶରେ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ସେବା
– ମାଗଣା ଶିକ୍ଷା ବ୍ୟବସ୍ଥା ସହିତ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲର ଉନ୍ନତୀକରଣ
– ଘରୋଇ ହସ୍ପିଟାଲ ତୁଳନାରେ ସରକାରୀ ହସ୍ପିଟାଲର ବ୍ୟବସ୍ଥା ଉନ୍ନତୀକରଣ ହେବ
– ଚାଇନା ଦଖଲରେ ଥିବା ଜମି ପୁନରୁଦ୍ଧାର ହେବ, ସେନା ସଂପୂର୍ଣ୍ଣ ସ୍ୱାଧୀନତା ପାଇବ
– ମୋଦୀ ସରକାରର ଅଗ୍ନୀବିର ଯୋଜନା ରଦ୍ଦ ହେବ
– ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ
– ପ୍ରତିବର୍ଷ ୨ କୋଟି ନିଯୁକ୍ତିର ଗ୍ୟାରେଂଟି
– ଦେଶକୁ ଦୁର୍ନୀତିରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି
– ଚାଇନାର ବାଣିଜ୍ୟ କ୍ଷମତାକୁ ଅତିକ୍ରମ କରିବା ଲକ୍ଷ୍ୟରେ ସରଳ ହେବ ଜିଏସଟି

ମୋଦୀ କ୍ଷମତାକୁ ଆସିବା ପୂର୍ବରୁ ଏବଂ ୨୦୧୯ରେ ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଏଯାବତ ପୂରଣ ହୋଇନାହିଁ । ସ୍ୱାମୀନାଥନଙ୍କ ରିପୋଟ ର୍ ଆଧାରରେ ଚାଷୀଙ୍କୁ ଏମଏସପି ମିଳିନାହିଁ ବୋଲି ଅଭିଯୋଗ କରିବା ସହିତ ନିଯୁକ୍ତି ଗ୍ୟାରେଂଟି କଥା କହି ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପ୍ରଥମେ କ୍ଷମତାକୁ ଆସିବା ପରେ ମାଗଣା ବିଜୁଳି ସେବା ଆରମ୍ଭ ହୋଇଥିଲା । ଆପ ସରକାର ୧୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେଉଥିଲା । କିନ୍ତୁ ମାର୍ଚରେ ଏହାକୁ ୨୦୦ ୟୁନିଟ୍ ଯାଏ କରିଛି । ଦିଲ୍ଲୀରେ ବିଜୁଳି ଉତ୍ପାଦନ ହୁଏ ନାହିଁଁ । କିନ୍ତୁ ଅନ୍ୟ ରାଜ୍ୟଠୁ ବିଜୁଳି କିଣି ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଆପ ଦଳ ଦୁଇ ଥର କ୍ଷମତାକୁ ଆସିଛି । ଯାହାକୁ ଆପ୍ ଗୋଟିଏ ବଡ ଭୋଟ୍ ବ୍ୟାଙ୍କ କରିଛି ।

କେଜ୍ରିୱାଲ କହିଛନ୍ତି ଯେ ସେ ଏହି ଗ୍ୟାରେଂଟି ବିଷୟରେ ଇଣ୍ଡିଆ ମେଂଟର ସହଯୋଗୀଙ୍କ ସହ ଆଲୋଚନା କରିନାହାଁନ୍ତି, କିନ୍ତୁ ଏହାକୁ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଆଶା କରିଛନ୍ତି ।