‘ମୋତେ ଆଉ ଜେଲ ଯିବାକୁ ପଡିବନି, ଯଦି…’, ମୋତିନଗର ରୋଡ୍ ସୋ’ରେ ଏମିତି କହିଲେ କେଜ୍ରିୱାଲ

984

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି । ତେବେ ନିଜ ରୋଡ୍ ସୋରେ କେଜ୍ରିୱାଲ୍ ଏମିତି କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ସେ କହିଛନ୍ତି ଯେ, ସେମାନେ କହୁଛନ୍ତି ୨୦ ଦିନ ପରେ ମୋତେ ଜେଲ୍ ଯିବାକୁ ପଡିବ । ହେଲେ ଯଦି ଆପଣମାନେ ଚାହାଁନ୍ତି, ତେବେ ଏପରି ହେବନି । ମେ ୨୫ ତାରିଖରେ ଆପଣଙ୍କୁ ଆପ୍ ଏବଂ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବାକୁ ପଡିବ । ଯଦି ଆପଣ ଝାଡୁ ଚିହ୍ନରେ ଭୋଟ୍ ଦେବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡିବନି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏଥିସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ଜେଲ୍ କାହିଁକି ପଠାହେଲା, ମୋର ଭୁଲ କଣ ଥିଲା । ମୁଁ ଦିଲ୍ଲୀ ପାଇଁ କାମ କଲି, ବୋଧହୁଏ ସେଥିପାଇଁ ସେମାନେ ମୋତେ ଜେଲ ପଠାଇଲେ ବୋଲି ସେ କହିଛନ୍ତି । ଦିଲ୍ଲୀବାସୀଙ୍କ ପାଇଁ ମାଗଣା ବିଜୁଳି, ପାଣି ଏବଂ ସ୍ୱାସ୍ଥ୍ୟ ସୁବିଧା ମୁଁ ଦେଇଛି । ମହିଳାଙ୍କ ପାଇଁ ମାଗଣା ବସ୍ ସେବା କଲି । ଏହି ଭୁଲ କାରଣରୁ ବିଜେପି ମୋତେ ଜେଲରେ ଭର୍ତ୍ତି କରିଦେଲା ବୋଲି ଅରବିନ୍ଦ କେଜ୍ରିୱାଲ ଏହି ରୋଡ୍ ସୋ’ରେ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ରେ କହିଛନ୍ତି ବିଜେପି ବାଲାଙ୍କୁ ୪ଶହ ସିଟ୍ ଦେଇ ଦିଅନ୍ତୁ । ଏ ଲୋକ ୪ ଶହ ସିଟ୍ ନେଇ କଣ କରିବେ? ଅସଲରେ ହେଲା, ଦେଶରୁ ସଂରକ୍ଷଣ, ସମ୍ବିଧାନ ଏବଂ ନିର୍ବାଚନ ବନ୍ଦ କରିବାକୁ ଏମାନେ ଚାହୁଁଛନ୍ତି । ଏହି ଲୋକ ଭାରତରେ ରୁଷ ଏବଂ ଉତ୍ତରକୋରିଆ ଭଳି ଏକଛତ୍ରବାଦୀ ଶାସନ ଆଣିବାକୁ ଚାହୁଁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।