ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ , ବିଜେପିକୁ ଘେରିଲେ ନବୀନ । ଧର୍ମେନ୍ଦ୍ରଙ୍କ ଜବାବ, କୋଷ୍ଟାଲ ହାଇୱେରେ ବାଧକ ସାଜିଛନ୍ତି ରାଜ୍ୟ ସରକାର

205

କନକ ବ୍ୟୁରୋ: ରାଜନୀତିର ବୟାନବାଜି ଆହୁରି ତୀକ୍ଷଣ ଓ ଶାଣିତ ହେବାରେ ଲାଗିଛି, ଯେତେବେଳେ ଶୀର୍ଷରେ ଥିବା ନେତା ପରସ୍ପର ପ୍ରତି ଆକ୍ରମଣ କରୁଛନ୍ତି, ଆଉ ଜବାବ୍ରେ ତା’ର ପ୍ରତି ଆକ୍ରମଣ ଆସୁଛି । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସଭାମଞ୍ଚରେ ଯେଉଁ ସବୁ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ, ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ଦେବା ସହ ପାଲଟା ପ୍ରଶ୍ନ ପଚାଥିଲେ ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ୍ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଭାଷା ସାହିତ୍ୟ, ଧାନର ଏମଏସପି, ଓଡ଼ିଆଙ୍କୁ ପୁରସ୍କାର ଆଦି ବିଭିନ୍ନ ପ୍ରସଙ୍ଗରେ ଜବାବ୍ ରଖିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଏକ ଭିଡିଓ ବାର୍ତା ଜରିଆରେ ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଥିଲେ, ତାଙ୍କର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୪ ବର୍ଷ ହେଲା ଜାଣିଛନ୍ତି ଏଥିସହ ପାଲଟା ଆକ୍ରମଣ କରିଥିଲେ । ତେବେ ରାଜନୀତିର ଏହି ବୟାନବାଜି ଭିତରେ ନିର୍ବାଚନୀ ସଭାରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଥମି ନଥିବା ବେଳେ ଆସନ୍ତା ୨୦ ତାରିଖରେ ପୁଣି ଥରେ ନିର୍ବଚନୀ ପ୍ରଚାର ପାଇଁ ଓଡ଼ିଶା ଆସୁୁଛନ୍ତି ପ୍ରଧାନମନ୍ତ୍ରୀ ।