ଜଳେଶ୍ୱର ଗୋପାଳପୁର ଗାଁ ମହିଳାଙ୍କ ନିଆରା ପ୍ରୟାସ: ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କରୁଛନ୍ତି ଛେଳିଚାଷ

70

କନକ ବ୍ୟୁରୋ: ଗାଁ ମହିଳାଙ୍କ ଛେଳି ଚାଷ । ଜଳେଶ୍ୱର ଗୋପାଳପୁର ଗାଁର ୧୩ ଜଣ ମହିଳା ମିଶି ଛେଳି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ମହିଳା ମାନେ ୨ଲକ୍ଷ ୩୦ ହଜାର ଟଙ୍କା ରୁଣ ନେଇ ଛେଳି ଫାର୍ମ କରିଛନ୍ତି । ଫାର୍ମରେ ଏବେ ୩୨ଟି ଛେଳି ଥିବା ବେଳେ ଏହାର ଯତ୍ନ ନେଉଛନ୍ତି ଏସଏଚଜି ମହିଳା । ପଶୁପାଳନ ଭଳି କ୍ଷୁଦ୍ର ଉଦ୍ୟୋଗରୁ ମହିଳାଙ୍କୁ ଭଲ ରୋଜଗାର ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ଗୁହାଳ ଘର ପାଇଁ ଜମି ଲିଜ ନେଇ ସେମାନେ ପଶୁ ପାଳନ କରୁଛନ୍ତି । ଛେଳିଙ୍କୁ ଚରାଇବାକୁ ନେବା ସହ ଗଛର ଡାଳପତ୍ର ସଂଗ୍ରହ କରି ଖାଇବାକୁ ଦେଉଛନ୍ତି । ୨୦୨୨-୨୩ ବର୍ଷରେ ସରକାରଙ୍କ ମିଶନଶକ୍ତି ପକ୍ଷରୁ ଆସିଥିବା ଡିପ ଲିଟର ପଦ୍ଧତିରେ ଛେଳି ଫାର୍ମ ସ୍କିମ୍ କରିବା ପାଇଁ ମନସ୍ତ କରିଥିଲେ କାଳିମାତା ଏସଏଚଜି ମହିଳା । ପ୍ରଥମ ଫେଜରେ ଭଲ ଲାଭ ହେବାର ଲକ୍ଷ୍ୟ ରଖିଛନ୍ତି ଏହି ମହିଳା ମାନେ ।

ଆଗରୁ ଏହି ମହିଳା ମାନେ ଅଦା ଚାଷ କରୁଥିଲେ । ହେଲେ ଉତ୍ପାଦିତ ହେଉଥିବା ଅଦାକୁ ସାଇତି ରଖିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଦା ଚାଷ ବନ୍ଦ କରିଦେଲେ । ଛେଳି ବ୍ୟବସାୟରୁ ଭଲ ରୋଜଗାର ଆଶାରେ ଏବେ ଛେଳି ଫାର୍ମ କରିଛନ୍ତି । ଏଥିପାଇଁ ମହିଳା ମାନେ ଘରକାମ ପରେ ସମସ୍ତେ ଏକାଠି ହୁଅନ୍ତି । ଦିନକୁ ୨ରୁ ୩ ଘଂଟା ସମୟ ଦିଅନ୍ତି ।

ଦିନଥିଲା ମହିଳା ମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ । କିନ୍ତୁ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସେମାନେ ଏବେ ସ୍ୱାବଲମ୍ବୀ ହେଉଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।