ସଂକଟ ଭିତରେ ଶ୍ରୀଲଙ୍କା । ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ୪ ଟି ବିଶ୍ୱବିଦ୍ୟାଳୟ ବନ୍ଦ

119

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟକୁ ନେଇ ଏବେ ଦେଶରେ ପ୍ରଦର୍ଶନ ଜାରି ରହିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇ ଯିବା ଖବର ପାଇବା ପରେ ଲୋକମାନେ ତାଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ କବଜା କରିଛନ୍ତି । ଲୋକମାନଙ୍କର ହିଂସକ ପ୍ରଦର୍ଶନ ଭିତରେ ସରକାର ଦେଶର ସମସ୍ତ ସ୍କୁଲ ସମେତ ୪ ଟି ବିଶ୍ୱବିଦ୍ୟାଳୟକୁ ଜୁଲାଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।

ସେପେଟେ ଏଭଳି ପ୍ରଦର୍ଶନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଏକ ଜରୁରୀ ବୈଠକ ଡାକିଥିଲେ । ଏହି ବୈଠକରେ ସମସ୍ତ ନେତାମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିବା ସୂଚନା ରହିଛି । ଏହାସହ ପ୍ରଧାନମନ୍ତ୍ରୀ ଶାନିଲ ବିକ୍ରମାସିଂଘେ କହିଛନ୍ତି କି, ବୈଠକର ନିଷ୍ପତ୍ତି ଦେଶର ଜନସାଧାରଣଙ୍କୁ ଜଣାଇ ଦିଆଯିବ । ଏହାସହ ଦେଶର ସୁରକ୍ଷା ଓ ଆର୍ଥିକ ସଂକଟରୁ କିଭଳି ମୁକ୍ତି ମିଳିବ ସେନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଫେରାର ହୋଇଯାଇଥିବା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ସେ ସ୍ୱୀକାର କରିବେ । କୁହାଯାଉଛି କି, ପ୍ରଧାମନ୍ତ୍ରୀଙ୍କ ବୈଠକରେ ଯାହା ନିଷ୍ପତ୍ତି ହୋଇଛି ତାହା ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଜଣାଇ ଦେଇଛନ୍ତି ।

ସୂଚନା ଥାଉକି ନାଗରିକଙ୍କ ହିଂସକ ପ୍ରଦର୍ଶନକୁ ରୋକିବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କ ଉପରେ ପାଣିମାଡ କରିବା ସହ ଲୁହବୋହା ଗ୍ୟାସ ପ୍ରାୟାଗ କରିଛି ।