ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଅର୍ନ୍ତଜାତୀୟ ଖେଳାଳୀ, ହାତରେ ଧରିଥିଲେ ଏଭଳି ଲେଖାଥିବା ପ୍ଲାକାର୍ଡ

186

କନକ ବ୍ୟୁରୋ : ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସବୁଠାରୁ ଖରାପ ହୋଇଛି । ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ଓ ସରକାରଙ୍କ ମନମାନି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରୀଲଙ୍କା ନାଗରିକ । ସେମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ଆଗରେ ପ୍ରଦର୍ଶନ କରିବା ସହ ବାସଭବନ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପରିବାର ସହ କେଉଁଆଡେ ଫେରାର ହୋଇଯାଇଥିବା କଥା କୁହାଯାଉଛି ।

ସବୁଠାରୁ ବଡକଥା କି ଶ୍ରୀଲଙ୍କା ନାଗରିକମାନେ ପ୍ରଦର୍ଶନ କରୁଥିବା କ୍ଷେତ୍ରରୁ ଦେଶର ପୂର୍ବତନ କ୍ରିକେଟ ଖେଳାଳୀ ସନଥ ଜୟସୁରିଆଙ୍କୁ ଦେଖିବାକୁ ମିଳିଛି । ସେ ଏହି ଆନ୍ଦୋଳନରେ ସାମିଲ ହୋଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି । ଏହାସହ ଆନ୍ଦୋଳନ ସହିତ ଜଡିତ କିଛି ଫଟୋ ଓ ଭିଡିଓ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ମୁଁ ସର୍ବଦା ଶ୍ରୀଲଙ୍କା ନାଗରିକଙ୍କ ସହ ରହିଛି । ଖୁବଶୀଘ୍ର ଦେଶର ନାଗରିକଙ୍କ ବିଜୟ ହେବ ବୋଲି ସେ ଲେଖିବା ସହ ରାଷ୍ଟ୍ରପତି ଗୋଟାବାୟା ଶାନ୍ତିର ସହ ପଦ ଛାଡନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ଏହା ପୂର୍ବର ଜୟସୁରିଆ ଏକ ଟ୍ୱିଟ କରିଥିଲେ । ସେଥିରେ ସେ ଲେଖିଥିଲେ କି ଏସିଆ ମହାଦେଶରେ ସବୁଠାରୁ ପୁରୁଣା ଲୋକତନ୍ତ୍ର ରାଷ୍ଟ୍ର ହେଉଛି ଶ୍ରୀଲଙ୍କା । ମୁଁ ଦେଶର ଲୋକଙ୍କୁ ସୁରକ୍ଷା ଦେବାକୁ ଶପଥ ନେଇଛି । ଏହାସହ ଗୋଟାବାୟା ଶ୍ରୀଲଙ୍କା ନାଗରିକଙ୍କ ଭାବନା ସହ ଖେଳୁଥିବା କଥା ଜୟସୁରିଆ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।