ଦାୟିତ୍ୱ ନେଉ ନେଉ ବଡ଼ପଣ ଦେଖାଇଲେ କେନ୍ଦ୍ରାପଡ଼ାର ନୂଆ କଲେକ୍ଟର ।

1,747

କନକ ବ୍ୟୁରୋ: ଆଶୀର୍ବାଦ ଭରା ଶବ୍ଦ ୮୦ ବର୍ଷ ଅପେକ୍ଷାର ଅନ୍ତ ଘଟିବା ପରର । ପାଟିରୁ ମିଠା ମିଠା କଲ୍ୟାଣ କଲେକ୍ଟରଙ୍କ ଉପରେ ଅଜାଡ଼ି ଦେଲେ ସରକାରୀ ଯୋଜନାର ଲାଭାର୍ଥୀ ହୋଇଥିବା ଜଣେ ବୃଦ୍ଧା । ଘରେ ଟିକେ ବିଜୁଳୀ ଜାଳିବା ପାଇଁ ବର୍ଷ ବର୍ଷ ଧରି ଏ ଅଫିସରୁ ସେ ଅଫିସ, ଆକୁ ତାକୁ ଗୁହାରୀ କରୁଥିଲେ ବି କେହି ଶୁଣୁନଥିଲେ । କିନ୍ତୁ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ଭାବେ ସୂର୍ଯ୍ୟବଂଶୀ ମୟୂର ବିକାଶ ଦାୟିତ୍ୱ ନେଉ ନେଉ ଏହି ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିଲେ ଆଉ ମାତ୍ର ୨୪ ଘଣ୍ଟା ଭିତରେ ୮୦ ବର୍ଷର ଅନ୍ଧାରକୁ ଅନ୍ତ କରି ଉଭୟଙ୍କ ଜୀବନରେ ଆଲୋକ ଭରିଦେଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

ପଟ୍ଟାମୁଣ୍ଡାଇ ଖଡିଅଣ୍ଟା ପଞ୍ଚାୟତର ବାବାଜୀ ମଲ୍ଲିକ । ବୟସ ୮୦ ଟପିଲାଣି, ବୃଦ୍ଧବସ୍ଥାରେ ରୋଗ ସାଙ୍ଗକୁ ଭିନ୍ନକ୍ଷମର ଜଞ୍ଜାଳରେ ଦହଗଞ୍ଜ ହେଉଛନ୍ତି । ମାଟି ଅଗଣାରେ ନିଜ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି । ବଞ୍ଚିବାକୁ ସଂଘର୍ଷ କରୁଥିବାବେଳେ ଆଲୁଅ ପାଇଁ ଆଉଟୁପାଉଟୁ ହେଉଥିଲେ, କେତେ ବାବୁ କେତେ ଅଫିସରେ ଯାଇ ଗୁହାରୀ କରିଛନ୍ତି ଯେ କହିଲେ ନସରେ । କିନ୍ତୁ କେହି କେବେ ବାବାଜୀଙ୍କ ଦୁଃଖକୁ ଶୁଣିନଥିଲେ । ଶେଷରେ ନୂଆ ଜିଲ୍ଲାପାଳଙ୍କୁ ଦେଖାକରି ଦୁଃଖ ଜଣାଇଲେ ଆଉ ମାତ୍ର ୨୪ ଘଣ୍ଟାରେ ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ।
ଲୋକଙ୍କ ପାଖରେ କିଭଳି ଉତ୍ତମ ସେବା ପହଞ୍ଚିବ ତାହା ଜିଲ୍ଲା ପ୍ରଶାସନର ଲକ୍ଷ୍ୟ । ଅସହାୟ ଗରିବଙ୍କ ପାଖରେ ଅଧିକରୁ ଅଧିକ ସରକାରୀ ଯୋଜନା ପହଞ୍ଚାଇବା ମୋର ଏବଂ ମୋ ଟିମର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ବିଭିନ୍ନ ସମୟରେ ସରକାରୀ ସୁବିଧାରୁ ଗରିବ ଅସହାୟ ବଞ୍ଚିତ ହେବାର ନଜିର ରହିଛି । କିନ୍ତୁ ଜଣେ ଭଲ ପ୍ରଶାସକ ହିଁ ଦରିଦ୍ରଙ୍କ ଦୁଃଖକୁ ବୁଝିପାରିବ । ସେହିଭଳି କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।