କମେଡି କଳାକାର ଶ୍ୟାମ ରଙ୍ଗିଲାଙ୍କ ବଡ ଘୋଷଣା । ବାରଣାସୀରୁ ମୋଦୀଙ୍କ ବିରୋଧରେ ହେବେ ପ୍ରାର୍ଥୀ

923

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମିମିକ୍ରି କରି ଚର୍ଚ୍ଚାରେ ଥିବା ରାଜସ୍ଥାନର କମେଡି କଳାକାର ଶ୍ୟାମ ରଙ୍ଗିଲା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଚଳିତ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢିବେ । ସୋମବାର ଦିନ ଶ୍ୟାମ ରଙ୍ଗିଲା ତାଙ୍କୁ ସୋସିଆଲ ମଡିଆ ଆକାଉଣ୍ଟ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହାକୁ ପ୍ରଥମେ ଲୋକମାନେ ମଜାକ ଭାବୁଥିଲେ । ହେଲେ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ସ୍ପଷ୍ଟ କରିଛନ୍ତି କି, ବାରଣାସୀରୁ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସୁରତ ଓ ଇନ୍ଦୋରରେ କେଉଁ ପରିସ୍ଥିତିରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କଲେ ତାହାକୁ ନେଇ ଶ୍ୟାମ ରଙ୍ଗିଲା ପରୋକ୍ଷରେ ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, କିଏ ଜାଣେ କାହାର କେତେବେଳେ ନାମାଙ୍କନ ଖାରଜ ହେବ ଓ କିଏ ପ୍ରତ୍ୟାହାର କରିନେବ, ହେଲେ ଦେଶରେ ଏବେ ବି ଲୋକତନ୍ତ୍ର ବଞ୍ଚିଛି ଓ ଏହି କାରଣରୁ ସେ ନିର୍ବାଚନ ଲଢିବାକୁ ମନସ୍ଥ କରିଥିବା କଥା କହିଛନ୍ତି ।

ଶ୍ୟାମ ରଙ୍ଗିଲା କହିଛନ୍ତି କି, ମୁଁ ଏଥିପାଇଁ ନିର୍ବାଚନ ଲଢିବାକୁ ଯାଉଛି, କାରଣ ଲୋକତନ୍ତ୍ରକୁ ବିପଦରୁ ବଞ୍ଚାଇବାକୁ ପଡିବ । ବାରଣାସୀ ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବାର ବିକଳ୍ପ ମିଳିବ ଓ ସୁରତ ଏବଂ ଇନ୍ଦୋର ଭଳି ପରିସ୍ଥିତି ହେବାକୁ ଦିଆଯିବ ନାହିଁ ।