ରାଜ୍ୟରେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଭୟ ନାହିଁ । ଲୋକଙ୍କୁ ଆଶ୍ୱସ୍ତ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ।

103

କନକ ବ୍ୟୁରୋ: କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କୋଭିସିଲ୍ଡର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା କହିଛନ୍ତି ବିଜୟ ପାଣିଗ୍ରାହୀ । ଟିକା ନେବାର ୨୦ଦିନ ଭିତରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ତେବେ ରାଜ୍ୟରେ ଏଭଳି ମାମଲା ଆସିନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଗତ ବର୍ଷ ଫେବ୍ରୁଆରୀରେ ଶେଷ ଟିକାକରଣ କରାଯାଇଥିଲା । ତା ମଧ୍ୟରେ ୬କୋଟି ୪୨ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟରେ ଦିଆଯାଇଛି । ବର୍ତ୍ତମାନ କୋଭିସିଲ୍ଡ ନେବା ପରେ ଟିଟିଏସ ବୋଲି ଏକ ସିଣ୍ଡ୍ରୋମ ଦେଖାଦେଉଥିବା ଚର୍ଚ୍ଚା ହେଉଛି । ଯାହା କି ରକ୍ତ ଜମାଟ ବାନ୍ଧିବା ଓ ଦେହରେ ପ୍ଲେଟଲେଟର ମାତ୍ରା କମିଯିବାକୁ ସୂଚାଏ । ଏକଥା ପୂର୍ବରୁ ଜଣାଅଛି । ମେ’ ମାସରୁ ଏହା ସାମ୍ନାକୁ ଆସିଥିଲା । ପୂର୍ବରୁ ଭାରତ ସରକାର ନିର୍ଦ୍ଦେଶାବଳୀ ଜାରି କରିଥିଲେ ଟିକା ନେଲା ପରେ ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ । ଯାହାକି କମ୍ ଅର୍ଥାତ ୧୦ଲକ୍ଷରେ ୦ ଦଶମିକ ୬୧ । ତାକୁ ଦୃଷ୍ଟିରେ ରଖି ସେହି ସମୟରେ ସବୁ ବ୍ୟବସ୍ଥା କରାଯାଇଥିଲା । ଯେହେତୁ ଟିକା ନେବାର ୨୦ ଦିନ କିମ୍ବା ୩ସପ୍ତାହ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରୀୟା ଦେଖା ଯାଇଥାଏ । ଟିକା ନେବାର ୩ବର୍ଷ ବିତିଯାଇଥିବାରୁ ଏହାର ପାର୍ଶ୍ୱ ପ୍ରତିକ୍ର୍ରିୟା ଦେଖାଯିବାର କୌଣସି ସମ୍ଭାବନା ନାହିଁ । ତେଣୁ ଜନସାଧାରଣ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏହି ଟିକା କୋଭିଡରୁ ସୁରକ୍ଷା ଦେଇଛି, ପାର୍ଶ୍ୱପ୍ରତିକ୍ରିୟାର ସମୟ ସରିଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।