ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’କୁ କୋର୍ଟଙ୍କ କଟାକ୍ଷ । ସରକାରୀ ବିଭାଗ ଠାରୁ ‘ମେଟା’ ଖରାପ କାମ କରୁଥିବା କହିଲେ କୋର୍ଟ

97

କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ପେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ମୂଳ କମ୍ପାନୀ ‘ମେଟା’ ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି କି, ମେଟାର କାମ କରିବା ତରିକା ସରକାରୀ ବିଭାଗ ଠାରୁ ମଧ୍ୟ ଖରାପ । ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି ।

ସୂଚନା ମୁତାବକ ଟିଭି ଟୁଡେ ନେଟୱର୍କର ହାରପରର୍ସ ବଜାର ଇଣ୍ଡିଆ ଇନଷ୍ଟାଗ୍ରାମ ପେଜ ମେଟା ତରଫରୁ ବ୍ଲକ କରାଯାଇଥିଲା । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଓ ଜଷ୍ଟିସ ମନମୀତ ପିଏସ ଅରୋରାଙ୍କ ବେଂଚ କହିଛନ୍ତି କି, ଯଦି ଗଣମାଧ୍ୟମର ଅଭିଯୋଗ ଉପରେ ମେଟା ଶୁଣାଣି କରିବାରେ ବିଳମ୍ବ କରୁଛି ତେବେ ଏହା ସ୍ପଷ୍ଟ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଟିଭି ଟୁଡେ କାଉନସିଲକୁ ଅବମାନନା କରୁଛି ।

ଏହାକୁ ନେଇ କୋର୍ଟ ମେଟା ଉପରେ ପ୍ରବଳ ବର୍ଷିଛନ୍ତି । କୋର୍ଟ କହିଛନ୍ତି କି ମେଟା କୌଣସି ସରକାରୀ ବିଭାଗ ଠାରୁ ମଧ୍ୟ ଖରାପ କାମ କରୁଛି । ଏହାସହ କୋର୍ଟ କହିଛନ୍ତି କି, ମେଟା ତାର ବ୍ୟବସ୍ଥାକୁ ସୁ ବ୍ୟବସ୍ଥିତ ରଖିବାକୁ ପଡିବ , ନହେଲେ କୋର୍ଟ ମେଟାକୁ ଦଣ୍ଡିତ କରିବାକୁ ଆଦେଶ ଦେଇପାରେ ।

ଟିଭି ଟୁଡେ ନେଟୱର୍କ ତରଫରୁ ଦିଲ୍ଲୀ ହାଇକୋର୍ଟରେ ମେଟା ବିରୋଧରେ ଏକ ଅଭିଯୋଗ କରାଯାଇଥିଲା । ଏଥିରେ କୁହାଯାଇଥିଲା କି, ତୃତୀୟ ପକ୍ଷ କପି ରାଇଟ ଆଧାରେ ଇନଷ୍ଟାଗ୍ରାମ ପେଜ୍ ବ୍ଲକ କରାଯାଇଥିଲା । ଏହା ସହ ଆବେଦନକାରୀଙ୍କ ତରଫରୁ ସୂଚନା ପ୍ରଯ୍ୟୁକ୍ତିବିଦ୍ୟା ୨୦୨୧ ନିୟମ ୩ (୧)(ସି) ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଥିଲା ।