ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା । ପଞ୍ଜାବର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲଙ୍କ ଘୋଷଣା

94

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ବା ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ପଞ୍ଜାବ ଗସ୍ତ କରୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ମିଶି ସେ ଅନେକ ସରକାରୀ ଯୋଜନାର ଶୁଭାରମ୍ଭ କରୁଛନ୍ତି । ଏହାସହ ଦୁଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନ ଗସ୍ତ କରି ଲୋକଙ୍କୁ ଆର୍ଶିବାଦ ମାଗୁଛନ୍ତି । ଏସବୁ ଭିତରେ ଆଜି ପଞ୍ଜାବ ଗସ୍ତରେ ଥିବା ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିବା ଅବସରରେ କହିଛନ୍ତି କି, ପଞ୍ଜାବର ସମସ୍ତ ଲୋକସଭା ଆସନରେ ଆପ୍ ପ୍ରାର୍ଥୀ ଦେବ ।

ଶନିବାର ଦିନ ପଞ୍ଜାବର ଖନ୍ନା ଠାରେ ଏକ ସଭାରେ ଭାଷଣ ଦେବା ଅବସରରେ କେଜ୍ରିୱାଲ କହିଛନ୍ତି କି, ଆଗାମୀ ୧୫ ଦିନ ମଧ୍ୟରେ ପଞ୍ଜାବର ୧୪ ଓ ଚଣ୍ଡିଗଡର ଗୋଟିଏ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ସୂଚନା ଥାଉକି ଇଣ୍ଡିଆ ମେଣ୍ଟରେ ଥିବା ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ପଞ୍ଜାବ ଲୋକସଭା ଆସନ ଭାଗବଣ୍ଟାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ କେଜ୍ରିୱାଲଙ୍କ ଘୋଷଣା ପରେ ଆଜି ସ୍ପଷ୍ଟ ହୋଇଯାଇଛି କି, ପଞ୍ଜାବରେ କଂଗ୍ରେସ ଓ ଆପ୍ ଅଲଗା ଭାବେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।