ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟକୁ ନେଇ ଉଠିଥିବା ଚର୍ଚ୍ଚାରେ ଲାଗିଲା ବିରାମ : କହିଲେ ବିସିସିଆଇ ଅଧ୍ୟକ୍ଷ ପଦରୁ ଦେଇନାହାନ୍ତି ଇସ୍ତଫା

59

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଲାଗିଲା ବିରାମ । ଟ୍ୱିଟ୍ ପରେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଗାଙ୍ଗୁଲି ପଦରୁ ଇସ୍ତଫା ଦେଇନାହାନ୍ତି । ଏ ନେଇ ପ୍ରଥମେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ପରେ କୋଷାଧ୍ୟକ୍ଷ ଅରୁଣ ଧୂମଲ ସଫେଇ ଦେଇଥିଲେ । ଆଉ ଏବେ ଖୋଦ୍ ଗାଙ୍ଗୁଲି ଏହାକୁ ନେଇ ମତ ରଖିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ ସେ ବିସିସିଆଇ ପଦରୁ ଇସ୍ତଫା ଦେଇନାହାନ୍ତି କିମ୍ବା ସେମିତି କୌଣସି କଥା ନାହିଁ । ବିଶ୍ୱସ୍ତରରେ ସେ ଏକ ନୂଆ ଏଜୁକେସନ୍ ଆପ୍ ଲଂଚ କରୁଥିବା ସେ କହିଛନ୍ତି । ଗାଙ୍ଗୁଲିଙ୍କ ସ୍ପଷ୍ଟୋକ୍ତି ପରେ ତାଙ୍କର ରାଜନୀତିରେ ଯୋଗଦେବା ନେଇ ଉଠିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି । ବୁଧବାର ଗାଙ୍ଗୁଲି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଗାଙ୍ଗୁଲି ଲେଖିଥିଲେ ଯେ କ୍ରିକେଟରେ ୩୦ ବର୍ଷର ଲମ୍ବା ଯାତ୍ରା ପରେ ସେ ଏବେ ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ନୂଆ ଆରମ୍ଭ ଲୋକଙ୍କୁ ବହୁତ ସହାୟକ ହେବ ବୋଲି ସେ ଲେଖିଥିଲେ । ଗାଙ୍ଗୁଲିଙ୍କ ଏହି ଟ୍ୱିଟ୍ ପରେ ବିଭିନ୍ନ କଥା ଉଠିବାରେ ଲାଗିଲା । କେଉଁଠି ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଥିବା ବେଳେ କେଉଁଠି ସେ ରାଜନୀତିରେ ଯୋଗଦେବା କଥା ମଧ୍ୟ ଉଠିଥିଲା । ହେଲେ ଏବେ ଗାଙ୍ଗୁଲି ସବୁ ଆଲୋଚନାରେ ବ୍ରେକ୍ ଲଗାଇଛନ୍ତି ।