ଲୋକପ୍ରିୟ ବଲିଉଡ୍ ଗାୟକ କେକେଙ୍କର ଆଜି ଶେଷକୃତ୍ୟ । ବର୍ସୋଭା ଶ୍ମଶାନରେ ଦିଆଯିବ ଅନ୍ତିମ ବିଦାୟ

121

କନକ ବ୍ୟୁରୋ : ଲୋକପ୍ରିୟ ବଲିଉଡ୍ ଗାୟକ କ୍ରିଷ୍ଣ କୁମାର କୁନ୍ନାଥ ଓରଫ କେକେଙ୍କର ଆଜି ହେବ ଶେଷକୃତ୍ୟ । ବୁଧବାର ରାତିରେ ତାଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କେକେଙ୍କ ପରିବାର ଲୋକେ ତାଙ୍କର ପାର୍ଥିବ ଶରୀର ଆଣିବା ପାଇଁ କୋଲକାତା ଯାଇଥିଲେ । ବର୍ସୋଭାର ‘ପାର୍କ ପ୍ଲାଜା’ କମ୍ପେ୍ଲକ୍ସର ହଲରେ ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି । ସକାଳ ୯ଟା ବେଳେ ବର୍ସୋଭାର ଶ୍ମଶାନରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ । ତାଙ୍କର ଶେଷଯାତ୍ରାରେ ବହୁ ନାମୀ କଳାକାର ସାମିଲ୍ ହେବେ ।

ମଙ୍ଗଳବାର କୋଲକାତାରେ ଏକ ଷ୍ଟେଜ ସୋ’ରେ ଗୀତ ଗାଉଥିବାବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋଲକାତାରେ ତାଙ୍କର ଶବ ବ୍ୟବଛେଦ କରାଯାଇଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କର ମାସିଭ୍ ହାର୍ଟ ଆଟାକ୍ ବା ବଡ଼ ଧରଣର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତାଙ୍କର ଯକୃତ ଓ ଫୁସଫୁସରେ ଗମ୍ଭୀର ସମସ୍ୟା ଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଷ୍ଟେଜ ଉପରେ କେକେ କେମିତି ହଠାତ ଅସୁସ୍ଥ ହୋଇପଡୁଛନ୍ତି ସେହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି । ହଠାତ୍ ତାଙ୍କ ଦେହରୁ ଝାଳ ବାହାରିଲା ଓ ସେ ଅସହଜ ମନେ କରୁଥିବା ନେଇ ଆୟୋଜକଙ୍କୁ ଜଣାଇଥିଲେ । ତୁରନ୍ତ ସୋ ବନ୍ଦ କରି ସେ ଚାଲି ବି ଆସିଲେ । ଏହାପରେ ତାଙ୍କୁ ସିଧା ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କର ଆକସ୍ମିକ ମୃତ୍ୟୁ, ହୃତଘାତ ଯୋଗୁଁ ହୋଇଥିବା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ।