ପୁଣି ଡରାଇଲା କରୋନା : ମହାରାଷ୍ଟ୍ରରୁ ଦିନକରେ ୧୦୮୧ ନୂଆ ଆକ୍ରାନ୍ତ ଚିହ୍ନଟ; ଗତ ୩ ମାସରେ ସର୍ବାଧିକ ଦୈନିକ ସଂକ୍ରମଣ 

76

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୮୧ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୩ ମାସରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଫେବ୍ରୁଆରୀ ୨୪ ତାରିଖରେ ମହାରାଷ୍ଟ୍ରରେ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩ ମାସ ପରେ ପୁଣିଥରେ ହଜାର ଟପିଛି ଦୈନିକ ସଂକ୍ରମଣ । ତେବେ ଚିନ୍ତାଜନକ କଥା ହେଉଛି, କେବଳ ମୁମ୍ବାଇରେ ୭୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ସେତିକି ନୁହେଁ ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ମଧ୍ୟ ବେଶ ଅଧିକ ରହିଛି ।

ମୁମ୍ବାଇରେ ସଂକ୍ରମଣ ହାର ରହିଛି ୮.୪ ପ୍ରତିଶତ । ଅର୍ଥାତ ୧୦୦ ଜଣ କରୋନା ଟେଷ୍ଟ କରୁଥିବା ବେଳେ ୮ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ମଙ୍ଗଳବାର ସଂକ୍ରମଣ ହାର ୬ ପ୍ରତିଶତ ରହିଥିଲା । ଫେବ୍ରୁଆରୀ ୧ ତାରିଖ ପରେ ଏହା ମୁମ୍ବାଇରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଫେବ୍ରୁଆରୀ ୧ରେ ୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମୁମ୍ବାଇରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ଉଠିଛି । କରୋନା ପରୀକ୍ଷାକୁ ବଢ଼ାଇ ଦିଆଯିବା ସହ ବୁଷ୍ଟର ଡୋଜ୍ ଓ ପିଲାଙ୍କ ଟିକାକରଣକୁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।