ବିଶ୍ୱକପକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ଭବିଷ୍ୟବାଣୀ । କହିଲେ ଟିମ୍ ଇଣ୍ଡିଆ ସମେତ ଏହି ଟିମ୍ ଖେଳିପାରନ୍ତି ସେମିଫାଇନାଲ?

682

କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଭାରତରେ ଖେଳାଯିବାକୁ ଥିବା ଏହି ଦିନିକିଆ ବିଶ୍ୱକପ ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ କ୍ରିକେଟ ମହାକୁମ୍ଭ । ପୂର୍ବରୁ ୮ଟି ଟିମ୍ ସିଧାସଳଖ ଯୋଗ୍ୟତା ଅଜର୍ନ କରିଥିବା ବେଳେ ଅନ୍ୟ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ବିଶ୍ୱକପ ଟିକେଟ ହାତେଇଛନ୍ତି । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଛି ଭବିଷ୍ୟବାଣୀ । ବିଶ୍ୱର ବଡ ବଡ କ୍ରିକେଟର ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି କରିବ ନିଶ୍ଚିତ । ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ୨ଟି ମୁକାବିଲା ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ଅକ୍ଟୋବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଯେଉଁ ମ୍ୟାଚ୍ ଦେଖିବାକୁ ବିଶ୍ୱ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ବସିଛନ୍ତି । କେବଳ ଲିଗ୍ ପର୍ଯ୍ୟାୟରେ ନୁହେଁ ବରଂ ସେମିଫାଇନାଲ ମୁକାବିଲାରେ ମଧ୍ୟ ଭାରତ-ପାକିସ୍ତାନ ମୁକାବିଲା କ୍ରିକେଟପ୍ରେମୀ ଦେଖିବାକୁ ପାଇପାରନ୍ତି ବୋଲି କହିଛନ୍ତି ଗାଙ୍ଗୁଲି । ଅଥାର୍ତ ଆସନ୍ତା ବିଶ୍ୱକପର ସେମିଫାଇନାଲ ମୁକାବିଲାକୁ ନେଇ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି ।

ଗାଙ୍ଗୁଲିଙ୍କ ନିଜ ସେମିଫାଇନାଲ ଭବିଷ୍ୟବାଣୀରେ ୪ଟି ବଦଳରେ ୫ଟି ଟିମକୁ ବାଛିଛନ୍ତି । ଏହି ୫ଟି ଦଳ ମଧ୍ୟରେ ଭାରତ, ପାକିସ୍ତାନ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ରହିଛି । ଗାଙ୍ଗୁଲି କହିଛନ୍ତି ୨୦୨୩ ବିଶ୍ୱକପ ବେଶ ରୋମାଞ୍ଚକର ହେବ । କିନ୍ତୁ ୧୦ଟି ଟିମ୍ ମଧ୍ୟରୁ ୪ଟି ଟିମ୍ ବାଛିବା ବେଶ କଷ୍ଟକର । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତକୁ ପ୍ରଥମ ପସନ୍ଦର ଦଳ ଭାବେ ରଖିଛନ୍ତି ଗାଙ୍ଗୁଲି । ସେହିଭଳି ନ୍ୟୁଜିଲାଣ୍ଡ ମଧ୍ୟ ଏହି ରେସରେ ପଛୁଆ ରହିବନି ବୋଲି କହିଛନ୍ତି ସୌରଭ । ଏସିଆ ଉପ-ମହାଦେଶରେ ଖେଳାଯାଉଥିବାରୁ ପାକିସ୍ତାନ ମଧ୍ୟ ପ୍ରମୁଖ ସେମିଫାଇନାଲ ଦାବିଦାର ରହିବ ବୋଲି କହିଛନ୍ତି ଗାଙ୍ଗୁଲି । ପାକିସ୍ତାନ ବିଶ୍ୱକପ ସେମିଫାଇନାଲ ଟିକେଟ ହାତେଇବା ଆବଶ୍ୟକ, ଯାହାଦ୍ୱାରା ଇଡେନ ଗାର୍ଡେନରେ ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହୋଇପାରିବ ।

ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ମଧ୍ୟ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଥିଲେ । ସେହୱାଗ ମଧ୍ୟ ଟିମ୍ ଇଣ୍ଡିଆ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି । ସେହିଭଳି ବିରାଟ କୋହଲିଙ୍କ ପାଇଁ ଟିମ୍ ଇଣ୍ଡିଆ ବିଶ୍ୱକପ ଜିତୁ ବୋଲି କହିଥିଲେ ସେହୱାଗ । ଯେହେତୁ ଭାରତରେ ବିଶ୍ୱକପ ଖେଳାଯାଉଛି ତେଣୁ ଟିମ୍ ଇଣ୍ଡିଆ ପାଖରେ ପୁଣିଥରେ ବିଶ୍ୱକପ ଟାଇଟଲ ହାତେଇବାର ସୁଯୋଗ ରହିଛି ।

ବିଶ୍ୱକପକୁ ନେଇ ପୂର୍ବତନ କ୍ରିକେଟର ଭବିଷ୍ୟବାଣୀ କରୁଥିବା ବେଳେ ପାକିସ୍ତାନ ଏଯାଏଁ ବିଶ୍ୱକପରେ ଭାଗ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ପାକିସ୍ତାନ ଟିମ୍ ଭାରତକୁ ଖେଳିବାକୁ ଆସିବ କି ନାହିଁ ତାହା ଉପରେ ସନ୍ଦେହର କଳାବାଦଲ ଢାଙ୍କି ହୋଇ ରହିଛି । ତେଣୁ ପାକିସ୍ତାନ ଯଦି ବିଶ୍ୱକପରେ ଭାଗ ନେବାକୁ ଶେଷ ମୁହୂର୍ତ୍ତରେ ମନା କରେ ତେବେ କ୍ରିକେଟପ୍ରେମୀ ରୋମାଞ୍ଚକର ମୁକାବିଲା ଦେଖିବାରୁ ବଞ୍ଚିତ ହେବେ ।