ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ପୋଲିସ୍ । ୧୨ଟି ମୋବାଇଲ ପାଟ୍ରୋଲିଂ ଟିମ, ୧୩ଟି ପିସିଆର ନିୟୋଜିତ ।

178

କନକ ବ୍ୟୁରୋ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତମାନେ ଠାକୁରଙ୍କୁ କରିବେ ଜଳଲାଗି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୋଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପାଟ୍ରୋଲିଂ ଟିମ, ୧୩ଟି ପିସିଆର ରହିବ। ଛକ ମାନଙ୍କରେ ଫାଷ୍ଟ ଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ଅନ୍ୟପଟେ ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ୍ ଓ ଫାୟାର ଫାଇଟିଂ ୟୁନିଟ୍ ନିୟୋଜିତ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୫ ଜଣ ଏସିପି, ୮ ଜଣ ଇନ୍ସପେକ୍ଟର, ୩୯ ଜଣ ସବ ଇନ୍ସେପେକ୍ଟର ଓ ଏଏସଆଇ ନିୟୋଜିତ ହେବେ। ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍‌ ଭକ୍ତମାନେ ୮ ନୁହେଁ ୪ ସୋମବାରରେ ହିଁ ଜଳଲାଗି କରିବେ। ପ୍ରଥମ ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ କାଉଡ଼ିଆମାନେ ଜଳ ଲାଗି କରିବେ।