ବାପା କରିଥିଲେ ଋଣ, ଦିବ୍ୟାଙ୍ଗ ଝିଅ ଉପରେ ଦାଉ ସାଧୁଛି ବ୍ୟାଙ୍କ୍ । ଋଣ ଟଙ୍କା ନଫେରାଇଲେ ନାଲି ପତାକା ଲଗାଇବାକୁ ବ୍ୟାଙ୍କର ନୋଟିସ ।

789

କନକ ବ୍ୟୁରୋ : ମାନବିକତାକୁ ବନ୍ଧା ପକାଇ ଦେଲେ ବ୍ୟାଙ୍କ ଅଧିକାରୀ । ଆଗପଛ କିଛି ଚିନ୍ତା ନ କରି ବ୍ୟାଙ୍କର ଲୋନ ଟଙ୍କା ଆଦାୟ କରିବା ପାଇଁ ସବୁ ସୀମା ଡେଇଁଗଲେ ବ୍ୟାଙ୍କ କର୍ତୃପକ୍ଷ । ଯେତେବେଳେ ଋଣ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେତେବେଳେ ପରିବାରର ଜଣେ ଦିବ୍ୟାଙ୍ଗ ଝିଅ ନିକଟରେ ପହଂଚିଛି ଲୋନ୍ ପରିଶୋଧ କରିବାର ନୋଟିସ୍ ।

ହଜିଗଲା ମାନବିକତା । ଦିବ୍ୟାଙ୍ଗ ଉପରେ ଜୁଲମ ଦେଖାଇଲେ ବ୍ୟାଙ୍କ ଅଧିକାରୀ । ଆଜକୁ ୧୫ ବର୍ଷ ପୂର୍ବରୁ ବ୍ୟାଙ୍କରେ ବାପା କରିଥିଲେ ଲୋନ୍ । ବାପାଙ୍କ ମୃତ୍ୟୁକୁ ୧୦ ବର୍ଷ ପୁରିଥିବା ବେଳେ ଅସହାୟ ଦିବ୍ୟାଙ୍ଗ ଝିଅଠୁ ଋଣ ଟଙ୍କା ଅସୁଲ କରିବାକୁ ଚେଷ୍ଟା ଚଳାଇଛି ବ୍ୟାଙ୍କ୍ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧିନ ଫୁଲଝରି ଗ୍ରାମରେ । ଫୁଲଝରି ଗ୍ରାମର କୁଶଧର ନାଏକ ସ୍ଥାନୀୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୋନ୍ କରିଥିଲେ । ଏବେ ଋଣ ବାବାଦକୁ ୪୬ ହଜାର ୯ ଶହ ୧୦ ଟଙ୍କା ପରିଶୋଧ କରିବାକୁ ବ୍ୟାଙ୍କରୁ ନୋଟିସ୍ ଆସିଛି । ଟଙ୍କା ତୁରନ୍ତ ପରିଶୋଧ ନ କରିଲେ ଘରେ ନାଲି ପତାକା ଲଗାଇ ଦେବାକୁ ବ୍ୟାଙ୍କ କର୍ତୃପକ୍ଷ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

କୁଶଧରଙ୍କର ୪ ଜଣ ଝିଅଙ୍କ ମଧ୍ୟରୁ ତିନି ଜଣଙ୍କର ବିବାହ ହୋଇଥିବା ବେଳେ ଘରେ ଅଛନ୍ତି ୮୦ ପ୍ରତିଶତ ଦିବ୍ୟାଙ୍ଗ୍ ଝିଅ ରଞ୍ଜିତା । ରଞ୍ଜିତାଙ୍କ ପାଖରେ ରହିଛନ୍ତି ତାଙ୍କର ଜଣେ ବିଧବା ଭଉଣୀ । ବ୍ୟାଙ୍କର ଏଭଳି ନୋଟିସ୍ ଦେଖିବା ପରେ ଚିନ୍ତାରେ ପଡିଯାଇଛନ୍ତି ରଞ୍ଜିତା । ଜଣେ ଦିବ୍ୟାଙ୍ଗ ଝିଅକୁ ନୋଟିସ୍ ଦେବା ଏବଂ ଟଙ୍କା ଆଦାୟ କରିବା ସମ୍ପର୍କରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଉଦଳା ଶାଖାର ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ଅନେକ ବାହାନା ଦେଖାଇଛନ୍ତି । ଜଣେ ଅସହାୟ ଦିବ୍ୟାଙ୍ଗ ଝିଅ ଉପରେ ଋଣ ଭାର ଲଦି ନଦେଇ ମାନବିକତା ଦୃଷ୍ଟି କୋଣରୁ ଘଟଣାରେ ସମାଧାନ କରିବା ନିହାତି ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।