ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ ବୟାନ : ଜେଲେନେସ୍କି କହିଲେ, ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା

875

କନକ ବ୍ୟୁରୋ : ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ନେଇ ସେଠାକାର ରାଷ୍ଟ୍ରପତି ଜେଲେନେସ୍କି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନ ସହ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ କହିଛନ୍ତି, ଆମେ ଋଷ ଉପରେ ଆକ୍ରମଣ କରିନାହୁଁ କିମ୍ବା କରିବାର ଯୋଜନା ବି କରୁନାହୁ । ଆଉ ଏହି ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ।

ସେପଟେ ରୁଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନାକୁ କଡ଼ା ଟକ୍କର ଦେଉଛନ୍ତି ଦେଶପ୍ରେମୀ ୟୁକ୍ରେନ ସେନା ଓ ସାଧାରଣ ଜନତା । ହେଲେ ରୁଷର ସାମରିକ ଶକ୍ତି ଆଗରେ ତିଷ୍ଠିବା କଷ୍ଟକର ହୋଇପଡ଼ୁଛି । ଗୋଟିଏ ପରେ ଗୋଟିଏ ସହର ଦଖଲ ଆଡ଼କୁ ଆଗଉଛି ପୁଟିନଙ୍କ ସେନା । ଖେରସନ ସହରକୁ ନିଜ କବଜାକୁ ନେଇଛନ୍ତି ରୁଷ୍ ସୈନିକ । ଏହାକୁ ରୁଷର ଏକ ବଡ଼ ବିଜୟ ବୋଲି କୁହାଯାଉଛି । କାରଣ ଆକ୍ରମଣ ପରଠାରୁ ପ୍ରଥମ କରି କୌଣସି ସହରକୁ ସମ୍ପୂର୍ଣ୍ଣ ରୂପେ ଦଖଲକୁ ନେଇଛି ରୁଷ ସେନା ।

ସେହିପରି କ୍ରାଇମିଆ ଓ ଡୋନବାସ୍ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ମାରିଓପୋଲ ସହରକୁ ଘେରାବନ୍ଦୀ କରିଛନ୍ତି ରୁଷ୍ ସୈନିକ । ରାଜଧାନୀ କିଭ୍ ଓ ଖାରକିଭ୍ ସହରରେ ଜୋରଦାର ଆକ୍ରମଣ ହେଉଛି । ୟୁକ୍ରେନ ସେନାର କଡ଼ା ମୁକାବିଲା ଯୋଗୁଁ ଏହି ଦୁଇ ସହରରେ ରୁଷର ଆଗକୁ ବଢ଼ିବା ମଂଥର ହୋଇ ଯାଇଛି । ସେପଟେ ୟୁକ୍ରେନ ସହ ଯୁଦ୍ଧରେ ନିଜ ସୈନ୍ୟ ମରିଥିବା ପ୍ରଥମ କରି ମାନିଛି ରୁଷ୍ । ମସ୍କୋ ପକ୍ଷରୁ କହାଯାଇଛି ଯେ, ଏଯାଏଁ ଯୁଦ୍ଧରେ ୪୯୮ ଜଣ ସୈନିକଙ୍କ ଜୀବନ ଯାଇଛି ।