ଦେଢ଼ ବର୍ଷରେ ଦୃଢ଼ସ୍ଥିତି, ୩ଥର ଶୁଭିଛି ଶଙ୍ଖ । ପ୍ରତିଥର ଭରସା ଜିତୁଛି, ଭୋଟ୍ ହାର ବଢୁଛି ।

କେବଳ ଏତିକି ନୁହେଁ ଗତ ସାଧାରଣ ନିର୍ବାଚନରେ ନବୀନଙ୍କ ଭୋଟ୍ ହାରକୁ ପଛରେ ପକାଇ ୬୦ ପ୍ରତିଶତରୁ ଅଧିକ ଭୋଟ୍ ବ୍ୟାଙ୍କ୍ ହାସଲ କରିଛି ବିଜେଡି ।

464

କନକ ବ୍ୟୁରୋ: ବିଜେପୁର: ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ । ବିଗତ ଦେଢ଼ ବର୍ଷରେ ୩-୩ଟା ନିର୍ବାଚନ ଦେଖିଥିବା ଏହି ଆସନ ବିଜେଡି ପାଇଁ ଆଣିଛି ବଡ଼ ବିଜୟ । ଯେଉଁ ଆସନ ବିଜେଡି ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଥିଲା । ସେହି ଆସନ ଏବେ ବିଜେଡିର ଗଡ଼ ପାଲଟିଛି । ଏପରିକି ବିଜେପୁରରେ ବିଜେଡି ହ୍ୟାଟ୍ରିକ୍ ମାରିଛି । ୨୦୧୮ ଉପ-ନିର୍ବାଚନ କଥା ହେଉ କି ୨୦୧୯ରେ ହୋଇଥିବା ଦୁଇଟି ମତଦାନ , ପ୍ରତ୍ୟେକ ନିର୍ବାଚନରେ ଏଠାରେ ବିଜେଡିର ଭୋଟ୍ ହାର ମନ୍ଥର ଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଗତ ୨୦୧୮ରେ ଯେତେବେଳେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ହୋଇଥିଲା ସେତେବେଳେ ବିଜେଡି ତରଫରୁ ସୁବଳଙ୍କ ସ୍ତ୍ରୀ ରୀତା ସାହୁ ପ୍ରାର୍ଥୀ ହୋଇଥିଲେ ଆଉ ସେ ନିର୍ବାଚନରେ ବିଜେଡି ମୋଟ୍ ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବାବେଳେ ୪୧ ହଜାର ୯୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହୋଇଥିଲା । ଆଉ ବିରୋଧୀଙ୍କୁ ମାତ୍ ଦେଇ ରୀତା ଦେଇଥିଲେ ବିଜେଡିକୁ ବିଜେପୁର ସ୍ୱାଦ । ଏହି ନିର୍ବାଚନରେ ବିଜେଡିର ଭୋଟ୍ ହାର ୫୬.୭୮ ପ୍ରତିଶତ ରହିଥିଲା ।

ସେହିପରି ଏହାର କିଛି ମାସ ପରେ ବିଜେପୁର ଦେଖିଥିଲା ଆଉ ଏକ ନିର୍ବାଚନ । ବର୍ଷ ଆରମ୍ଭରୁ ଅର୍ଥାତ୍ ୨୦୧୯ରେ ହେଲା ସାଧାରଣ ନିର୍ବାଚନ ପାଇଁ ଜୋରଦାର ଲଢ଼େଇ । ଆଉ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ଲଢ଼ିବାକୁ ନିଷ୍ପତି ନେଇଥିଲେ । ସେଥିମଧ୍ୟରେ ଥିଲା ତାଙ୍କ ପାରମ୍ପାରିକ ଆସନ ହିଞ୍ଜିଳି ସହ ବିଜେପୁର ବିଧାନସଭା ସିଟ୍ । ଆଉ ନବୀନଙ୍କୁ ମୋଟ୍ ୧ଲକ୍ଷ ୧୦ ହଜାର ୬୦୬ ଖଣ୍ଡ ଭୋଟ୍ ମିଳିଥିବାବେଳେ, ୫୬ ହଜାର ୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପୁରରେ ଲଗାତାର ଦ୍ୱିତୀଥର ପାଇଁ ବିଜୟୀ ହୋଇଥିଲେ । ଆଉ ଏହି ନିର୍ବାଚନରେ ବିଜେଡିର ଭୋଟ୍ ହାର ୩ ପ୍ରତିଶତ ଅଧିକ ଅର୍ଥାତ୍ ୫୯.୭୮ ପ୍ରତିଶତ ବୃଦ୍ଧି ପାଇଥିଲା ।

ହେଲେ ଆଜିର ଫଳାଫଳ ଗତ ଦୁଇଟି ନିର୍ବାଚନର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବିରୋଧୀଙ୍କୁ ଚିତ୍ କରି ବିଜେଡି ପ୍ରାର୍ଥୀ ରୀତା ଇତିହାସ ରଚିଛନ୍ତି । ମୋଟ୍ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ୍ ପାଇ ସବୁ ରେକର୍ଡ ଭାଙ୍ଗିଛନ୍ତି । କୌଣସି ବିଧାନସଭା ନିର୍ବାଚନରେ ରାଜ୍ୟ ରାଜନୀତିରେ ଏଭଳି ସଂଖ୍ୟକ ଭୋଟ୍ କାହାକୁ ମିଳିନାହିଁ । ଏପରିକି ୯୭ ହଜାର ୯୯୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ମାଟି କାମୁଡାଇଛନ୍ତି ରୀତା । କେବଳ ଏତିକି ନୁହେଁ ଗତ ସାଧାରଣ ନିର୍ବାଚନରେ ନବୀନଙ୍କ ଭୋଟ୍ ହାରକୁ ପଛରେ ପକାଇ ୬୦ ପ୍ରତିଶତରୁ ଅଧିକ ଭୋଟ୍ ବ୍ୟାଙ୍କ୍ ହାସଲ କରିଛି ବିଜେଡି । ତେବେ ଏହା ଦର୍ଶାଉଛି ଯେ, ବିଜେଡିର ଲୋକପ୍ରିୟତା ବିଜେପୁରରେ ପ୍ରତି ନିର୍ବାଚନରେ ମନ୍ଥର ଭାବେ ବୃଦ୍ଧି ପାଉଛି ।