ବର୍ଷାରେ ଓଦା ହୋଇ ଯେଉଁଠି ଭାଷଣ ଦେଇଥିଲେ ପାୱାର, ସେହି ଆସନରେ ଚିତ୍ ମାରିଲା ବିଜେପି । ଏନସିପି ଉଡାଇଲା ବିଜୟ ବାନା

1,494

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ କୁ ବହୁମତ ମିଳିଥିବା ବେଳେ ନିରାଶ ହୋଇଛନ୍ତି କଂଗ୍ରେସ-ଏନସିପି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିଛି ବିଜେପି-ଶିବସେନା ମେଣ୍ଟ । ତେବେ ମ୍ୟାଜିକ ନମ୍ବର ଠାରୁ ଢେର ପଛରେ ରହିଛି କଂଗ୍ରେସ-ଏନସିପି ମେଣ୍ଟ । କିନ୍ତୁ ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପାୱରଫୁଲ ଭାଷଣ ଦଳକୁ ଅନେକ ଆସନରେ ବିଜୟୀ କରାଇଛି । ଆଉ ଏହାମଧ୍ୟରେ ରହିଛି ସତାରା ଲୋକସଭା ଆସନ । ଏହି ଆସନ ଗତ କିଛି ଦିନ ପୂର୍ବେ ଚର୍ଚ୍ଚାକୁ ଆସିଥିଲା । କାରଣ ମୂଷଳ ଧାରାରେ ବର୍ଷା ପକାଉଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପଛଘୁଞ୍ଚା ଦେଇନଥିଲେ ୭୮ ବର୍ଷୀୟ ପାୱାର ।

ବିଧାନସଭା ନିର୍ବାଚନ ସହ ସତାରା ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହୋଇଛି । ଏହି ଆସନରୁ ଶ୍ରୀନିବାସ ପାଟିଲଙ୍କୁ ପ୍ରାର୍ଥୀ କରିଥିଲା ଦଳ । କାରଣ ଲୋକସଭା ଉପନିର୍ବାଚନ ପୂର୍ବରୁ ଉଦୟନରାଜେ ଭୋସଲେ ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଏଭଳି ନିଷ୍ପତି ଏବେ ଉଦୟନରାଜେଙ୍କ ପାଇଁ ମହଙ୍ଗା ପଡିଛି । ଉଦୟନରାଜେଙ୍କ ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଖୋଦ୍ ଦଳର ମୁଖିଆ ଶରଦ ପାୱାର । ତେବେ ପ୍ରଚାର ପୂର୍ବରୁ ପ୍ରବଳ ବର୍ଷା କାରଣରୁ ଏହାକୁ ବାତିଲ କରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏଥିରେ ରାଜି ହୋଇନଥିଲେ ପାୱାର । ମୂଷଳ ଧାରାରେ ବର୍ଷା ହେଉଥିଲେ ମଧ୍ୟ ଏହାକୁ ଖାତିର ନକରି ମଞ୍ଚ ଉପରକୁ ଚଢିଥିଲେ ପାୱାର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ପାୱାର କହିଥିଲେ, ଏହା ଏନସିପି ପାଇଁ ଇନ୍ଦ୍ରଙ୍କର ଆର୍ଶୀବାଦ । ଏହାଦ୍ୱାରା ରାଜ୍ୟରେ ଚମକ୍ରାର ହେବ ବୋଲି ମୋର ବିଶ୍ୱାସ ।