୨୬ ବର୍ଷରେ ବିଜେଡି : ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶ; ଯୋଗଦେବେ ୫୦ହଜାର କର୍ମୀ, ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ

107

କନକ ବ୍ୟୁରୋ : ବିଜୁ ଜନତା ଦଳକୁ ପୂରିଲା ୨୫ ବର୍ଷ । ଏହି ପରୀପ୍ରେକ୍ଷୀରେ ବିଜେଡି ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ପଡ଼ିଆ ଠାରେ ବିଜେଡି ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ହଜାର ଜନସମାଗମ ଏଥିରେ ଯୋଗଦେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ରାଜ୍ୟ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବ୍ଲକ, ପଞ୍ଚାୟତ, ବିଜୁ ଛାତ୍ର, ଯୁବ, ମହିଳା, ଶ୍ରମିକ ସମେତ ବିଭିନ୍ନ ବର୍ଗର କର୍ମକର୍ମା ଏହି ସମାରୋହରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି । ଏହାସହ ନିର୍ବାଚିତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ, ମନ୍ତ୍ରୀ, ବିଧାୟକ ଓ ସାଂସଦ ମଧ୍ୟ ଯୋଗଦେବେ । ୨୦୨୪ ନିର୍ବାଚନ ପାଇଁ ନୂଆ ବର୍ଷରୁ ନୂଆ ରଣନୀତି ସହ କ୍ଷେତ୍ର ପ୍ରସ୍ତୁତ କରିବା ସହ ଦଳର ସାଂଗଠନିକ କାମକୁ ତୃଣମୂଳସ୍ତରରୁ ଆହୁରୀ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବେ ।

ସେହି ଅନୁଯାୟୀ ତାଳବଣିଆରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସଭାସ୍ଥଳରେ ବଡ଼ ବଡ଼ ଟେଣ୍ଟ୍‌ ବନ୍ଧାଯାଇଛି । ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି । ଯେହେତୁ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗଦେବେ, ‌ସେଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିଶେଷ କରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ଓ‌ହ୍ଲାଇବେ, ଯେଉଁ ରାସ୍ତାରେ ସଭାସ୍ଥଳକୁ ଯିବେ, ତାର ରୁଟ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି ।