୨ ବର୍ଷ ପରେ ଆମେରିକାରେ ପୁଣି ବ୍ୟାଙ୍କିଙ୍ଗ୍ ସଂକଟ, ଦ୍ୱିତୀୟ ବୃହତ ବ୍ୟାଙ୍କ ସିଲିକନ୍ ଭେଲିରେ ପଡିଲା ତାଲା

357

କନକ ବ୍ୟୁରୋ : ଆମେରିକାରେ ପୁଣିଥରେ ବ୍ୟାଙ୍କିଙ୍ଗ ସଂକଟ ଦେଖିବାକୁ ମିଳିଛି । ଆମେରିକୀୟ ରେଗୁଲେଟର୍ସ ତରଫରୁ ଦେଶରେ ସର୍ବ ବୃହତ ବ୍ୟାଙ୍କ ତାଲିକାରେ ଥିବା ସିଲିକନ ଭେଲିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ଏହି ବ୍ୟାଙ୍କର ରିସିଭର ଭାବେ ନିଯୁକ୍ତ କରାଯାଇଛି । ବ୍ୟାଙ୍କର ଜମା ଓ ଗ୍ରାହକଙ୍କ ଟଙ୍କାର ସୁରକ୍ଷା ଦାୟୀତ୍ୱ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନକୁ ଦେଇଛନ୍ତି ବ୍ୟାଙ୍କ ରେଗୁଲେଟୋରୀ । ଏହା ପୂର୍ବରୁ ପ୍ରି ମାର୍କେଟ ଟ୍ରେଣ୍ଡିଂରେ ବ୍ୟାଙ୍କର ସେୟାର ୬୬ ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସି ଆସିଥିଲା । ଏହାପରେ ସିଲିକନ ଭେଲିର ସେୟାର ବ୍ୟବସାୟକୁ ବନ୍ଦ କରାଯାଇଥିଲା ।

ପାଖା ପାଖି ଅଢେଇବର୍ଷ ପରେ ଦ୍ୱିତୀୟ ଥର ପାଇଁ ଫେଡରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନ ଦ୍ୱାରା ବୀମା କରାଯାଇଥିବା ଏକ ବ୍ୟାଙ୍କ ବନ୍ଦ ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୨୦୨୦ ମସିହାରେ ଅଲମେନା ଷ୍ଟେଟ ବ୍ୟାଙ୍କ ଉପରେ ବି ଆମେରିକୀୟ ବ୍ୟାଙ୍କିଙ୍ଗ ରେଗୁଲେଟୋରୀ ପ୍ରତିବନ୍ଧକ ଲଗାଇଥିଲା । ଏକ ରିପୋର୍ଟ ମୁତାବକ ମାର୍ଚ୍ଚ ୧୩ ତାରିଖରେ ସିଲକନ ଭେଲି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଓ ସମସ୍ତ ବ୍ରାଞ୍ଚ ଖୋଲାଯିବ । ଏହାସହ ସମସ୍ତ ଜମାକାରୀଙ୍କ ନିକଟରେ ସୋମବାର ସୁଦ୍ଧା ନିଜ ଜମାରାଶିର ବିବରଣୀ ପହଂଚିବ । କହିରଖୁ କି ୨୦୨୨ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ବ୍ୟାଙ୍କର ମୋଟ ସମ୍ପତ୍ତି ୨୦୯ଅରବ ଡଲାର ଥିଲା ଓ ମୋଟ ଜମାରାଶି ୧୭୫.୪ ଅରବ ଡଲାର ଥିଲା ।

ରୟଟର୍ସର ରିପୋର୍ଟ ମୁତାବକ ଗତ ୨ଦିନ ମଧ୍ୟରେ ଆମେରିକୀୟ ବ୍ୟାଙ୍କଗୁଡିକର ସେୟାର ମାର୍କେଟ ଭାଲ୍ୟୁରେ ୧୦୦ ଅରବ ଡଲାରରୁ ଅଧିକ କ୍ଷତି ହୋଇଛି ଓ ୟୁରୋପୀୟ ବ୍ୟାଙ୍କ ଭାଲ୍ୟୁରେ ୫୦ ଅରବ ଡଲାର କ୍ଷତି ହୋଇଛି ।