ଲାଲୁଙ୍କ ପରିବାର ଉପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ନେଇ ମୁହଁ ଖୋଲିଲେ ନୀତୀଶ କୁମାର। କହିଲେ, ଆମେ ଯେତେବେଳେ ଏକାଠି ହେଉଛି ସେତେବେଳେ ରେଡ ହେଉଛି ।

120

କନକ ବ୍ୟୁରୋ: ବର୍ତ୍ତମାନ ବିହାରରେ ଇଡି ଏବଂ ସିବିଆଇ ଲାଲୁଙ୍କ ପରିବାର ଉପରେ ଚଢାଉ ଜାରିରଖିଛି । ତେବେ ଏହି ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ କହିଛନ୍ତି, ଏଭଳି ରେଡ ୨୦୧୭ରେ ମଧ୍ୟ ହୋଇଥିଲା । ସେ ସମୟରେ ଜେଡିୟୁ ଏବଂ ଆରଜେଡି ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।

ସିଏମ ନୀତୀଶ କୁମାର କହିଛନ୍ତି ଯେ ୫ ବର୍ଷ ପରେ ଦୁଇ ଦଳ ଏକାଠି ହୋଇଛନ୍ତି । ଆଉ ପୁଣି ଏଭଳି ରେଡ ଆରମ୍ଭ କରାଯାଇଛି । ସେହିଭଳି ସେ କହିଛନ୍ତି ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ ପଠାଇଛି । ଆମେ ଯେତେବେଳେ ଏକାଠି ହେଉଛୁ ସେତେବେଳେ ହିଁ ସିବିଆଇ ରେଡ କରୁଛି । ଏହା ଉପରେ ମୁଁ ଆଉ କଣ କହିବି ବୋଲି ସେ କହିଥିଲେ ।

ଜମି ବଦଳରେ ଚାକିରୀ ମାମଲାରେ ସିବିଆଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରା ଉଚରା ପାଇଁ ସମନ କରିଥିଲା । ସିବିଆଇର ଦଳ ତେଜସ୍ୱୀଙ୍କୁ ଏହି ବାବଦରେ ପଚରାଉଚରା କରିବା ପାଇଁ ଚାହୁଁଛି । ତେଣୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି ।