ମହାରାଷ୍ଟ୍ରରେ ରୋଚକ ଲଢ଼େଇ । ବାରାମତୀ ଆସନରେ ମୁହାଁମୁହିଁ ହେବେ ନଣନ୍ଦ-ଭାଉଜ

143

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ ଯୋଡି ହୋଇଛି । ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ରାଜ୍ୟରାଜନୀତିର ଅନ୍ୟତମ ହାଇପ୍ରୋଫାଇଲ ପରିବାର ପାୱାର ପରିବାରର ଦୁଇ ମହିଳା ଚେହେରା । ବାରାମତୀ ଆସନରେ ହେବ ନଣନ୍ଦ ବନାମ ଭାଉଜ ଲଢ଼େଇ । ପାୱାର ପରିବାରର ଗଡ଼ କୁହାଯାଉଥିବା ବାରାମତୀ ଲୋକସଭା ଆସନରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବାକୁ ଓହ୍ଲାଇଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର । ଉଭୟ ସୁପ୍ରିୟା ଓ ସୁନେତ୍ରା ଗୁୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ସୁନେତ୍ରା ଓ ସୁପ୍ରିୟା ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ନିକଟରେ ଅଜିତ ପାୱାର ନିଜ ସଂସଦୀୟ କ୍ଷେତ୍ରରେ ଭାବପୂର୍ଣ୍ଣ ଅପିଲ କରିଥିଲେ । ଏପରିକ ପ୍ରଚାର କରି ପତ୍ନୀ ସୁନେତ୍ରାଙ୍କ କଥା ବି ଜନତାଙ୍କୁ ଜଣାଇଥିଲେ ଅଜିତ । ସେବେଠୁ ସୁନେତ୍ରା ପ୍ରତ୍ୟେକ୍ଷ ରାଜନୀତିରେ ଓହ୍ଲାଇବା ସହ ବାରାମତୀରୁ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ବର୍ତମାନ ବାରାମତୀ ସାଂସଦ ଅଛନ୍ତି ସୁପ୍ରିୟା ସୁଲେ । ୨୦୦୯ରୁ ଏଠାକାର ସାଂସଦ ରହିଆସିଛନ୍ତି । ଅନ୍ୟପଟେ ସୁନେତ୍ରା ସକ୍ରିୟ ରାଜନୀତିରୁ ଦୂରରେ ରହିଥିଲେ ତଥାପି ଅନୁଭବି ରାଜନେତାଙ୍କ ଗହଣରେ ଛୋଟବେଳୁ ସମୟ କାଟିଛନ୍ତି । ସୁନେତ୍ରାଙ୍କ ଭାଇ ଓ ଦାଦା ମନ୍ତ୍ରୀ ରହିସାରିଛନ୍ତି । ସେପଟେ ପାୱାର ପରିବାରର ବୋହୂ ହେବା ପରେ ପରୋକ୍ଷରେ ରାଜନୀତି ସହ ସେ ଜଡିତ ରହିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ଦାଦା-ପୁତୁର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଶରଦ ପାୱାର ଓ ଅଜିତ ପାୱାରଙ୍କ ମନାନ୍ତର ଏନସିିପିକୁ ଦୁଇଭାଗ କରିଛି । ଭାଗ ଭାଗ ହୋଇସାରିଥିବା ଏନସିପିର ଦୁଇ ଗୋଷ୍ଠୀ ମଧ୍ୟରେ ଏଥରକ ନିର୍ବାଚନ ଲଢ଼େଇ ବେଶ ରୋଚକ ହେବ ।