ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱଂୟ ସହାୟକ ଗୋଷ୍ଠୀ : ନିୟୋଜିତ ମହିଳାଙ୍କୁ ମନରେଗା ଯୋଜନାରୁ ମିଳିବ ପାରିଶ୍ରମିକ

227

କନକ ବ୍ୟୁରୋ : ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ । ସ୍କୁଲ ହତାର ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନ ରଖିବା ଓ ଆସବାବପତ୍ରର ଯତ୍ନ ଦାୟିତ୍ୱ ଏସ୍ଏଚଜି ଉପରେ ନ୍ୟସ୍ତ କରାଯିବ । ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଏହା ଲାଗୁ ହେବ । ଏନେଇ ଓସେପା ପକ୍ଷରୁ ମୋ ସ୍କୁଲ ଅଧ୍ୟକ୍ଷାଙ୍କୁ ଅବଗତ କରାଯାଇଛି । ଏହା ସହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପ୍ରକିୟା ତ୍ୱରାନ୍ୱିତ କରାଯିବ । ରାଜ୍ୟ ସରକାରଙ୍କ ଫାଇଭ୍-ଟି ଉପକ୍ରମରେ ରୂପାନ୍ତରିତ ସରକାରୀ ସ୍କୁଲ ଗୁଡ଼ିକ ଘରୋଇ ବିଦ୍ୟାଳୟ ସମକକ୍ଷ ହୋଇପାରିଛି । ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ଲାଇବ୍ରେରୀ ଓ କ୍ୟାମ୍ପସରେ ସୁନ୍ଦର ବଗିଚା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ ହଜାର ୭୬ ସ୍କୁଲର ରୂପାନ୍ତରଣ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲର ରୂପରେଖ ବଦଳିଛି ।

ଏସ୍ଏଚଜି ହାତରେ ଫାଇଭ-ଟି ସ୍କୁଲ

– ମନରେଗା ଯୋଜନାରେ ଜବକାର୍ଡଧାରୀ ମହିଳାଙ୍କୁ ଦିଆଯିବ ଦାୟିତ୍ୱ
– ସ୍କୁଲ ହତାର ସୁରକ୍ଷା ଓ ପରିଷ୍କାର ପରିଚ୍ଛନ୍ନ ରଖିବେ
– ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ
– ଏଥିପାଇଁ ଏସ୍ଏଚଜି ମହିଳାଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ
– ଦୈନିକ ୨୧୫ ଟଙ୍କା ହିସାବରେ ପାରିଶ୍ରମିକ ମିଳିବ
– ମାସରେ ମହିଳାଙ୍କୁ ଅତିକମରେ ୧୦ରୁ ୧୫ ଦିନ ପାଇଁ ଦରମା ମିଳିବ
– ସ୍କୁଲ ପରିସରରେ ଜିଆ ଖତ ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହନ ଦିଆଯିବ
– ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବ
– ପ୍ରାଥମିକ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇଛି 
– ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ କରାଯାଇଛି ଆଲୋଚନା