ଅଖିଳେଶଙ୍କ ବୟାନକୁ ନେଇ ଏବେ ଉତ୍ତର ପ୍ରଦେଶ ରାଜନୀତି ସରଗରମ, “କେଶବ ମୌର୍ଯ୍ୟଙ୍କୁ ମୁଁ ମୁଖ୍ୟମନ୍ତ୍ରୀ କରିଦେବି”

402

କନକ ବ୍ୟୁରୋ : ମହାରାଷ୍ଟ୍ର, ବିହାର ପରେ ଏବେ ଉତ୍ତର ପ୍ରଦେଶରେ ଭାଙ୍ଗିବ କି ଯୋଗୀଙ୍କ ସରକାର । ଏନେଇ ଅଖିଳେଶ ଯାଦବ ସଂକେତ ଦେବା ପରେ ଏବେ ୟୁପି ରାଜନୀତି ସରଗରମ ହେବାରେ ଲାଗିଛି ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଅଖିଳେଶ ଯାଦବ କହିଛନ୍ତି କି, ଯୋଗୀଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ଜଣେ ଦୁର୍ବଳ ମାନସିକତାର ନେତା    । ସେ ୨୦୧୭ ମସିହାରୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ସେ ଯଦି ବିଜେପିର ୧୦୦ ବିଧାୟକଙ୍କୁ ଆଣିପାରିବେ ତେବେ ସମାଜବାଦୀ ପାର୍ଟି ସମର୍ଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ମିଳିଯିବ । ସେ ବିହାର ଓ ମହାରାଷ୍ଟ୍ରର ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ମହାରାଷ୍ଟ୍ର ଓ ବିହାରରେ ଯଦି ସମ୍ଭବ ତେବେ ଉତ୍ତର ପ୍ରଦେଶରେ କାହିଁକି ନୁହେଁ । ସେ କେଶବଙ୍କ ଆହ୍ୱାନ ଦେଇ କହିଛନ୍ତି କି ଯଦି କେଶବଙ୍କ ପାଖରେ ୧୦୦ ବିଧାୟକ ଅଛନ୍ତି ତେବେ ସେ ସେମାନଙ୍କର ସମର୍ଥନ ଧରି ଆସନ୍ତୁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ଅଖିଳେଶଙ୍କ ଏଭଳି ବୟାନ ପରେ ନିଜେ ପ୍ରତିକ୍ରିୟା ରଖିଛନ୍ତି କେଶବ ମୌର୍ଯ୍ୟ । ସେ କହିଛନ୍ତି କି, ଅଖିଳେଶ ଯାଦବ ନିଜେ ମୋତେ ଘୃଣା କରନ୍ତି । ଅଖିଳେଶ ମୋତେ କେତେ ଭଲ ପାଆନ୍ତି ତାହା ବିଧାନସଭା ଭିତରେ ସମସ୍ତେ ଦେଖିଛନ୍ତି । ଅଖିଳେଶ ଯାଦବ ନିଜେ ତ ବୁଡି ଯାଇଛନ୍ତି ସେ କଣ ମୋତେ ମୁଖ୍ୟମନ୍ତ୍ରୀ କରିବେ ବୋଲି କେଶବ ପ୍ରଶ୍ନ ପଚାରିଛନ୍ତି ।

ସେପଟେ ଯଦି ବିଧାନସଭା ଆସନ କଥା ଚିନ୍ତା କରାଯିବ ତେବେ ଯୋଗୀ ସରକାରଙ୍କ ପାଖରେ ୨୭୨ ବିଧାୟକଙ୍କ ସମର୍ଥନ ରହିଛି । ଯାହାକି ବହୁମତ ଠାରୁ ବହୁ ଅଧିକ । ଅନ୍ୟପଟେ ସମାଜବାଦୀ ପାର୍ଟି ମେଣ୍ଟ ପାଖରେ ରହିଛି ୧୧୯ ବିଧାୟକଙ୍କ ସମର୍ଥନ । ବିଜେପିର ନିଜ ବିଧାୟକଙ୍କ ସଂଖ୍ୟା ୨୫୪ ଓ ସମାଜବାଦୀ ପାର୍ଟିର ନିଜ ବିଧାୟକଙ୍କ ସଂଖ୍ୟା ୧୧୧ । ଏସବୁ ଭିତରେ ଯଦି ବି ୧୦୦ ଜଣ ବିଧାୟକ ଦଳ ଛାଡନ୍ତି ତେବେ ତାଙ୍କ ଉପରେ ଦଳ ପରିବର୍ତ୍ତନ କରିବା ଆଇନ ଲାଗୁହେବ ଓ ସେମାନଙ୍କ ବିଧାୟକ ପଦ ରଦ୍ଦ ହେବ । ହେଲେ କେଶବ ମୌର୍ଯ୍ୟ ଯଦି ୧୭୦ ଜଣ ବିଧାୟକଙ୍କ ସମର୍ଥନ ନେଇ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବେ ତେବେ ଯୋଗୀ ସରକାର ଭାଙ୍ଗିବା ସହଜ ହେବ ।