୨୦୨୪ ନିର୍ବାଚନକୁ ନେଇ ଶଶୀ ଥରୁରଙ୍କ ବଡ ଭବିଷ୍ୟବାଣୀ । ବହୁମତ ହାସଲ କରିପାରିବନି ବିଜେପି, ୫୦ ଆସନ ହରାଇବ ।

398

କନକ ବ୍ୟୁରୋ : ୨୦୨୪ ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ଏପରିକି ୨୦୨୪ ନିର୍ବାଚନ ବିଜେପି ପାଇଁ ଜିତିବା ଅସମ୍ଭବ । ଶାସକ ବିଜେପି ବହୁମତ ମଧ୍ୟ ହାସଲ କରିପାରିବନି । ବିଜେପି ୫୦ରୁ ଅଧିକ ଆସନ ହରାଇବ ।
କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ବିଜେପି ୨୦୧୯ରେ ଭଲ ପ୍ରଦର୍ଶନ କରିଥିଲା । ହରିୟାଣା, ଗୁଜରାଟ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସବୁ ଆସନ ଦଖଲ କରିଥିଲା । ସେହିଭଳି ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ରରେ ଅଧିକ ସିଟ୍ ହାତେଇ ଶାସନ କ୍ଷମତାରେ ରହିଥିଲା । କିନ୍ତୁ ୨୦୨୪ରେ ୨୦୧୯ର ପୁନରାବୃତ୍ତି ଦେଖିବାକୁ ମିଳିବନି । ଏପରିକି ବିଜେପି ବହୁମତ ମଧ୍ୟ ହାସଲ କରିପାରିବନି ।

ଗତ ଲୋକସଭା ନିର୍ବାଚନରେ ପୁଲୱାମା ଆକ୍ରମଣ ପରେ ବାଲାକୋଟ ଏୟାରଷ୍ଟ୍ରାଇକକୁ ନେଇ ସରାକରଙ୍କ ସପକ୍ଷରେ ହାୱା ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୪ରେ ସେଭଳି କୌଣସି ହାୱା ବିଜେପି ସପକ୍ଷରେ ବହିବ ନାହିଁ । ତେଣୁ ଆଗାମୀ ନିର୍ବାଚନରେ ବିଜେପି ୫୦ ସିଟ୍ ହରାଇବା ଏକପ୍ରକାର ନିଶ୍ଚିତ । ସେହିଭଳି ଲୋକତନ୍ତ୍ରରେ ବଂଶବାଦ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ପ୍ରତି ଦଳରେ ବଂଶବାଦ ରାଜନୀତି ଚାଲିଛି । ତେଣୁ କଂଗ୍ରେସ ଉପରକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ଅନ୍ୟ ଦଳ ନିଜ ଚାରିପାଖକୁ ଦେଖିବା ଉଚିତ୍ ।