କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ, ୧୦ ମିନିଟ ମଧ୍ୟରେ କାର୍ଯ୍ୟାଳୟକୁ ୨ଥର ଫୋନ କଲ

84

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ କେହି ଅଜଣା ବ୍ୟକ୍ତି ୨ଥର ଫୋନ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏନେଇ ଗଡକରୀଙ୍କ କାର୍ଯ୍ୟାଳୟ ତରଫରୁ ନାଗପୁର ଥାନରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ କେହି ଅଜଣା ବ୍ୟକ୍ତି ନୀତିନ ଗଡକରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟକୁ ଫୋନ କରି ହତ୍ୟା ଧମକ ଦେଇଛି । ଏନେଇ ଅଜଣା ବ୍ୟକ୍ତିଜଣଙ୍କ ୧୦ ମିନିଟ ମଧ୍ୟରେ ୨ଥର ଫୋନ କରିଛି । ପ୍ରଥମ କଲରେ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ଦ୍ୱିତୀୟ ଫୋନରେ ବୋମା ପକାଇ କାର୍ଯ୍ୟାଳୟ ଉଡାଇଦେବାକୁ ଧମକ ଦେଇଛି । ଏନେଇ ଅଭିଯୋଗ ହେବା ପରେ ନାଗପୁର ପୋଲିସ ଘଟଣାର ଯାଂଚ ଆରମ୍ଭ କରିଛି ।

ନୀତିନ ଗଡକରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟକୁ ପ୍ରଥମେ ୧୧.୩୦ ମିନିଟ ଓ ପରେ ୧୧.୪୦ ମିନିଟରେ ଦୁଇଥର ଫୋନ ଆସିଥିଲା । କହିରଖୁ କି, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କର ଏକ ଜନସଂପର୍କ କାର୍ଯ୍ୟାଳୟ ନାଗପୁରରେ ରହିଛି । ଏହା ତାଙ୍କ ବାସଭବନରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ।