କେନ୍ଦ୍ର ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ସାମାଜିକ ଗଣମାଧ୍ୟମ ବ୍ୟବହାରର ସର୍ବନିମ୍ନ ବୟସ ଧାର୍ଯ୍ୟ କର

169

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆ ଜାଲରେ ଛନ୍ଦି ହୋଇଯାଇଛନ୍ତି ସମସ୍ତେ । ମୁଖ୍ୟତଃ ସ୍କୁଲ ପିଲାମାନେ ସୋସିଆଲ ମିଡିଆ ନିଶାରେ ପଡ଼ିଛନ୍ତି । ଘଂଟା ଘଂଟା ସମୟ ବିତାଉଛନ୍ତି । କିନ୍ତୁ ଇଂଟରନେଟ୍ରେ ଏଭଳି କିଛି କଂଟେଟ ରହିଛି ଯାହା ପିଲାଙ୍କ ପାଇଁ ଭଲ ନୁହେଁ । ଏଭଳି ନିଶାରୁ ନିବୃତ ରହିବା ପାଇଁ ବୟସସୀମା ନିର୍ଦ୍ଧାରଣ କରାଯିବା ଏବେ ଜରୁରୀ ହୋଇପଡ଼ିଛି । ଏହା ଭିତରେ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ସ୍କୁଲ ପିଲାମାନେ ଏହାଦ୍ୱାରା ପଥଭ୍ରଷ୍ଟ ହେଉଛନ୍ତି ।

କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସାମାଜିକ ଗଣମାଧ୍ୟମ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହ ଇଂଟରନେଟରେ ଯେଉଁ ବିଭ୍ରାନ୍ତିକର ଭିଡିଓ ଓ ବିଷୟବସ୍ତୁ ହଟାଇବାକୁ ମଧ୍ୟ କୋର୍ଟ କହିଛନ୍ତି । ଟ୍ୱିଟରରେ ଏକ ମାମଲାରେ ଉପରେ ଶୁଣାଣୀ କରି ବିଚାରପତି ଜି ନରେନ୍ଦ୍ର ଓ ବିଚାରପତି ବିଜୟକୁମାରଙ୍କ ଖଣ୍ଡପୀଠ କହିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାର ଉପରେ ସରକାର ଏକ ବୟସସୀମା ଧାର୍ଯ୍ୟ କରନ୍ତୁ ।ଶୁଣାଣୀ ସମୟରେ କୋର୍ଟ କହିଛନ୍ତି ୧୮ବର୍ଷରୁ କମ ବୟସ୍କ ପିଲାମାନେ ସବଠୁ ଅଧିକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଏହା ଭିତରେ ସବୁଠୁ ଅଧିକ ସଂଖ୍ୟା ସ୍କୁଲ ପିଲା ରହିଛି । ତେଣୁ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ଧାର୍ଯ୍ୟ କରାଯାଉ । ବୟସକୁ ୨୧ବର୍ଷ ରଖାଯାଉ ବୋଲି କୋର୍ଟ କହିଛନ୍ତି ।

କୋର୍ଟ ପରାମର୍ଶ ଦେଇଛନ୍ତି ସୋସିଆଲ ମିଡିଆ ଆକାଉଁଟ ପାଇଁ ପଂଜୀକରଣ ବ୍ୟବସ୍ଥା ରଖାଯାଉ । ଜରୁରୀ ସୂଚନା ଦେବା ବାଧ୍ୟତାମୂଳକ କରାଯାଉ । ପୂର୍ବରୁ ଅନଲାଇନ ଗେମ ପାଇଁ ଏଭଳି ସୂଚନା ବ୍ୟବସ୍ଥା କରାଯାଇଛି ।୨୦୨୧ ଟ୍ୱିଟର ପାଇଁ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ଭାରତର ପ୍ରଯୁକ୍ତି ମନ୍ତ୍ରାଳୟ ।

ଜୁନ୍ ୩୦ରେ ଏକ ସିଙ୍ଗଲ୍ ବେଂଚର ନିର୍ଦ୍ଦେଶକୁ ଚ୍ୟାଲେଂଜ ଦେଇ ଟ୍ୱିଟର ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି ସମୟରେ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ପିଲାମାନେ ୧୭ କିମ୍ବା ୧୮ ବର୍ଷର ହୋଇଗଲେ ସେମାନେ କ’ଣ ଦେଶର ହିତ ପାଇଁ କେଉଁଟା ଠିକ୍ ବା କେଉଁଟା ଭୁଲ୍ ତାହା ବିଚାର କରିପାରିରେ କି ଏଭଳି କିଛି ଯୁକ୍ତି ବାଢ଼ିଛନ୍ତି ଖଣ୍ଡପୀଠ । ସୋସିଆଲ୍ ମିଡିଆ ଉପରେ କଟକଣା୍ ଲଗାଗଲେ ନିଶ୍ଚିତ ତାହାର ନିଶ୍ଚିତ ସୁଫଳ ମିଳିବ ବୋଲି ଜଷ୍ଟିସ୍ ନରେନ୍ଦ୍ର ମତ ରଖିଛନ୍ତି ।

ପ୍ରଯୁକ୍ତି ମନ୍ତ୍ରାଳୟ ୨୦୨୧ ଫେବୃୟାରୀ ୨ ତାରିଖରୁ ୨୦୨୨ ଫେବୃୟାରୀ ୨୮ ତାରିଖ ମଧ୍ୟରେ ଧାରା ୬୯ଏ ବଳରେ ୧୦ଟି ସରକାରୀ ଆଦେଶ ଜାରି କରିଥିଲେ । ଏଥିରେ ୧୪୭୪ ଆକାଉଂଟ୍ସ, ୧୭୫ଟି ଟ୍ୱିଟ୍, ୨୫୬ ୟୁଆର୍ଏଲ୍ ଓ ଗୋଟିଏ ହ୍ୟାଶ୍ଟାଗ୍କୁ ବ୍ଲକ କରିବା ପାଇଁ ଆଦେଶ ରହିଥିଲା ।

୩୯ ୟୁଆର୍ଏଲ୍ ବ୍ଲକ କରିବା ଆଦେଶ ବିରୋଧରେ ଟ୍ୱିଟର କୋର୍ଟର ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ସିଙ୍ଗଲ ବେଂଚ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଟ୍ୱିଟର ପୁଣିଥରେ ଏହି ମାମଲାର ବିଚାର ପାଇଁ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।