କଂଗ୍ରେସକୁ ବଡ଼ ଝଟକା । ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ କଲେ ଟାର୍ଗେଟ ।

139

କନକ ବ୍ୟୁରୋ: ଗୁଲାମ ନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସରେ ବଡ କମ୍ପନ ଆଣିଛି । ବଡ଼ କଥା ହେଉଛି, ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ, ଦଳରୁ ଦୂରେଇ ଯିବା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ପଛରେ ସୁରକ୍ଷାକର୍ମୀ ଓ ବ୍ୟକ୍ତିଗତ ସହଯୋଗୀଙ୍କ ହାତ ରହିଥିବା ସାଂଘାତିକ ଅଭିଯୋଗ କରିଛନ୍ତି । ରାହୁଲଙ୍କ ପିଲାଳିଆମି ଓ ଅପରିପକ୍ୱ ନିଷ୍ପତ୍ତି ଫଳରେ ଦଳ ଭିତରେ ଅଭିଜ୍ଞ ମାନଙ୍କୁ କଣଠେସା କରାଯାଇଛି । କପିଲ ସିବଲ ଓ ଅଶ୍ୱିନୀ କୁମାରଙ୍କ ପରେ ଗୁଲାମ ନବୀଙ୍କ ଇସ୍ତଫା କଂଗ୍ରେସ ପାଇଁ ତୃତୀୟ ବଡ଼ ଝଟକା ହୋଇଛି । ତେବେ ଆଜାଦ, ମୋଦୀଫାଏଡ ଅର୍ଥାତ ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ଦିନକୁ ଦିନ ଦୁର୍ବଳ ହୋଇଚାଲିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଶକ୍ତ ଝଟକା ଲାଗିଚାଲିଛି । ଜଣକ ପରେ ଜଣେ ବରିଷ୍ଠ ନେତା ଦଳର ହାତ ଛାଡ଼ୁଛନ୍ତି । ସବୁଠୁ ବଡ଼ ଝଟକା ଲାଗିଛି , ଯେତେବେଳେ ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସକୁ ବାଏ ବାଏ କହିଛନ୍ତି ।

ନିଜର ଇସ୍ତଫା ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ଗୁଲାମ ନବୀ ଆଜାଦ । ସେ ଏଥିରେ ଗୋଟି ଗୋଟି କରି ନିଜ ଇସ୍ତଫାର କାରଣ ଦର୍ଶାଇଛନ୍ତି । ୫ ପୃଷ୍ଠାର ଏହି ଚିଠିରେ ଆଜାଦ୍ ଲଗାତର ଭାବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଗୁଲାମ ନବୀ ଲେଖିଛନ୍ତି ଯେ, “ରାଜନୀତିକୁ ରାହୁଲଙ୍କ ପ୍ରବେଶ ଓ ଜାନୁଆରୀ ୨୦୧୩ରେ ସେ କଂଗ୍ରେସର ଉପସଭାପତି ହେବା ପରେ ଯେମିତି ସବୁକିଛି ବଦଳିଗଲା । ପୂର୍ବରୁ ଦଳ ଭିତରେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବାର ଯେଉଁ ଧାରା ଚାଲିଥିଲା, ତାକୁ ରାହୁଲ ଗାନ୍ଧୀ ନଷ୍ଟ କରି ଦେଲେ । ସବୁ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରାଗଲା ବରଂ ଏହା ବଦଳରେ କିଛି ତୋଷାମୋଦକାରୀ ଯେଉଁମାନେ ରାଜନୀତିରେ ଅନଭିଜ୍ଞ, ସେହିମାନେ ଦଳର ପରିଚାଳନା ସମ୍ଭାଳିଲେ’ ।

ଚିଠିର ଅନ୍ୟ ଏକ ଜାଗାରେ ଗୁଲାମ ନବୀ ଲେଖିଛନ୍ତି ଯେ, “ଦଳର ନେତୃତ୍ୱ ଓ ପରିଚାଳନାର ଶୈଳୀ ନେଇ ଯେତେବେଳେ ସେ ଓ ଅନ୍ୟ ୨୨ ଜଣ ସୋନିଆଙ୍କୁ ଚିଠି ଲେଖିଲେ, ଏହାକୁ ସକାରାତ୍ମକ ଭାବେ ନିଆଯିବା ବଦଳରେ ବରିଷ୍ଠ ନେତାମାନଙ୍କୁ ବାରମ୍ବାର ଅପମାନ ଦିଆଗଲା, ସେମାନଙ୍କୁ ଅପବାଦ ଦିଆଗଲା । ଦଳ ଏବେ ଏକ ଏମିତି ଅବସ୍ଥାରେ ପହଞ୍ଚିସାରିଛି, ଯେଉଁଠୁ ଫେରିବା ଅସମ୍ଭବ’ ।

କଂଗ୍ରେସ ସହ ପ୍ରାୟ ୫୦ ବର୍ଷ ଧରି କାର୍ଯ୍ୟ କରିଛନ୍ତି ଗୁଲାମନବୀ । ବହୁବାର ସେ କଂଗ୍ରେସ ସରକାର ଅମଳରେ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ସମ୍ଭାଳିଛନ୍ତି । ଏହାସହ ସଂସଦରେ ଶାଣିତ ସ୍ୱରରେ କଂଗ୍ରେସର ପକ୍ଷ ରଖିଛନ୍ତି । ହେଲେ ୨୦୨୧ ଫେବ୍ରୁଆରୀ ୯ ତାରିଖ, ସବୁକିଛି ବଦଳାଇ ଦେଇଥିଲା । ରାଜ୍ୟସଭାରେ ସେଦିନ ଥିଲା ଗୁଲାମନବୀଙ୍କ ଶେଷ ଦିନ । ତାଙ୍କୁ ବେଶ୍ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେଇଥିଲେ, ଆଜାଦ ମଧ୍ୟ ମୋଦୀଙ୍କ ପ୍ରଶଂସା କରିଥିଲେ । ହେଲେ ଏହାକୁ କଂଗ୍ରେସ ନେତୃତ୍ୱ ଗ୍ରହଣ କରିପାରି ନଥିଲେ । ସେହିପରି ମୋଦି ସରକାରଙ୍କ ଦ୍ୱାରା ଗୁଲାମନବୀଙ୍କୁ ପଦ୍ମଭୂଷଣ ସମ୍ମାନ ଦିଆଯିବା ମଧ୍ୟ କଂଗ୍ରେସ ଓ ତାଙ୍କ ଭିତରେ ଦୂରତା ବଢ଼ାଇଥିଲା ।

ନିକଟରେ କପିଲ ସିବଲ କଂଗ୍ରେସର ହାତ ଛାଡ଼ି ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ଦୁଇଦିନ ପୂର୍ବରୁ ଦୀର୍ଘଦିନ ଧରି କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟକରିଥିବା ଜୟବୀର ସେରଗିଲ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତେବେ କଂଗ୍ରେସ ଛାଡ଼ିବା ପରେ ଆଜାଦ ନିଜ ପାର୍ଟି ଗଢ଼ିବେ ବୋଲି ଚର୍ଚ୍ଚା ହେଉଛି ।