ରାଜ୍ୟକୁ ସାର ଯୋଗାଣ ନେଇ କେନ୍ଦ୍ର ସାର ଓ ରସାୟନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଖରିଫ୍ ଋତୁରେ ୩୧ ପ୍ରତିଶତ କମ ଡିଏପି ମିଳିଥିବା ନେଇ ଅଭିଯୋଗ

75

କନକ ବ୍ୟୁରୋ : କେନ୍ଦ୍ର ସରକାର ଓଡିଶାକୁ ଧାର୍ଯ୍ୟ ସମୟରେ ଯେତିକି ସାର ଯୋଗାଇବା କଥା ସେଥିରେ ବିଫଳ ହୋଇଛି । ଚାଷୀମାନେ ସାର ନପାଇ କଳାବଜାରୀରେ ଶିକାର ହେଉଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି ଚାହିଦା ମୁତାବକ କେନ୍ଦ୍ର ସରକାର ଓଡିଶାକୁ ଏମଓପି ଓ ଡିଏପି ସାର ମିଳିନାହିଁ । ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ୍ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଥିବା ନେଇ ଚିଠିରେ କୁହାଯାଇଛି । ଚିଠିରେ କୁହାଯାଇଛି କି, ରାଜ୍ୟରେ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟର ଚାଷୀମାନେ ୟାସ, ଜୱାଦ ଓ ଗୁଲାବ ବାତ୍ୟା ପାଇଁ ଅନେକ କ୍ଷତି ସହିଛନ୍ତି । ଏହାସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତବର୍ଷ ଫସଲ ପାଇଁ ପାଣିପାଗ ଅନୁକୂଳ ରହିଛି । ତେଣୁ ଅଗଷ୍ଟ ଓ ସେପ୍ଟେମ୍ବରରେ ଏମଓପି ଓ ଡିଏପି ସାରର ଅଧିକ ଆବଶ୍ୟକତା ପଡିବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନବୀନ ପଟ୍ଟନାୟକ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।