ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ ଦୀପାଳିଙ୍କୁ ଘାରିଲା ସୁରକ୍ଷା ଚିନ୍ତା । ବାହାରୁ ଭଡାରେ ସୁରକ୍ଷାକର୍ମୀ ମଗାଇଲେ ଦୀପାଳି । ବାପା ନବ ଦାସଙ୍କ ହତ୍ୟା ପରେ ଅଛନ୍ତି ଭୟରେ

1,387

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ସମୟରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ସୁରକ୍ଷା ଦେଉଛନ୍ତି ଭଡ଼ାରେ ଆସିଥିବା ପ୍ରାଇଭେଟ୍ ଗାର୍ଡ । ବାହାରର ଗୋଟିଏ ଏଜେନ୍ସି ଦ୍ୱାରା କିଛି ପ୍ରାଇଭେଟ୍ ଗାର୍ଡ ଦିପାଳିଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରାଜ୍ୟ ବାହାରୁ ଆସିଥିବା ମୋଟ୍ ୫ଜଣ ସୁରକ୍ଷାକର୍ମୀ ସବୁବେଳେ ଦୀପାଳିଙ୍କ ପାଖେପାଖେ ରହୁଛନ୍ତି । ବିଭିନ୍ନ ସିପ୍ଟରେ ଏମାନେ ଦୀପାଳିଙ୍କ ପାଇଁ କାମ କରୁଛନ୍ତି । ପ୍ରତିଥର ଦୀପାଳିଙ୍କ ସହିତ ଦୁଇଜଣ ସୁରକ୍ଷାକର୍ମୀ ରହୁଛନ୍ତି । ପ୍ରଚାର ସମୟରେ ଓ ବିଭିନ୍ନ ସଭା ସମିତିରେ ଯୋଗଦେବା ସମୟରେ ଏମାନେ ସୁରକ୍ଷା ଦେଉଛନ୍ତି ।

ପ୍ରଚାର ସମୟରେ ଦୀପାଳି କାହିଁକି ବାହାର ସୁରକ୍ଷାକର୍ମୀଙ୍କ ଉପରେ ଭରସା କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ବାପା ନବ ଦାସଙ୍କ ହତ୍ୟା ପିଏସଓ ଗୋପାଳ ଦାସ କରିଥିବାରୁ ଦୀପାଳିଙ୍କର ଓଡ଼ିଶା ପୋଲିସ ଉପରେ ଭରସା ନାହିଁ କି । ସବୁବେଳେ ତାଙ୍କ ମନରେ ଓଡ଼ିଶା ପୋଲିସକୁ ନେଇ ଡ଼ର ରହୁଛି କି । କ’ଣ ପାଇଁ ଦୀପାଳି ଦାସଙ୍କୁ ବାହାରୁ ଭଡ଼ାରେ ସୁରକ୍ଷାକର୍ମୀ ଆଣିବା ପାଇଁ ପଡ଼ିଲା । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଏସପିଙ୍କ ପ୍ରଶ୍ନ ପଚାରିବା ପରେ ସେ କହିଛନ୍ତି ଦୀପାଳିଙ୍କ ସୁରକ୍ଷା ଦାୟିତ୍ୱରେ ଓଡ଼ିଶା ପୋଲିସ ତରଫରୁ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତ କରାଯାଇଛି । ଭଡ଼ାରେ ଆସିଥିବା ଏହି ସୁରକ୍ଷାକର୍ମୀଙ୍କ ସହିତ କନଷ୍ଟେବଳ ମଧ୍ୟ ଦିପାଳିଙ୍କ ସହିତ ରହୁଛନ୍ତି । ଦିପାଳିଙ୍କୁ ଏହି ପ୍ରଶ୍ନ ପଚାରିବା ପରେ ଦୀପାଳି ଏହାର କୌଣସି ଉତ୍ତର ରଖିନାହାନ୍ତି ।