ସମଲୀଙ୍ଗୀ ସମ୍ପର୍କ ଅପରାଧ ପ୍ରସଙ୍ଗ: ବହୁଚର୍ଚ୍ଚିତ ଧାରା ୩୭୭ ଉପରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

40

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଏହି ଧାରାରେ ସମଲୀଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବା ବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହେବ । ତେବେ ଏନେଇ ଜବାବ ରଖିବାକୁ ଅଧିକ ସମୟ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ଗତକାଲି କୋର୍ଟ ଖାରଜ କରିଦେଇଥିଲେ । କୌଣସିମତେ ଏହି ଶୁଣାଣିକୁ ଆଉ ବିଳମ୍ଭ କରାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଦର୍ଶାଇବା ସହ କେନ୍ଦ୍ରର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ଏହି ଚର୍ଚିତ ପ୍ରସଙ୍ଗର ଆଜି ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।

ଉଲ୍ଲେଖଯୋଗ୍ୟ, ୨୦୦୯ରେ ହୋଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ କରିବା ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ୨୦୧୩ରେ ପୁଣି ଅନ୍ୟ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବାତିଲ କରିଦେଇଥିଲେ। ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଆଧାର କରି ଏହାକୁ ଅପରାଧ ବୋଲି ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଚାଲେଞ୍ଜ୍ କରାଯାଇଥିଲା। ଏହାବ୍ୟତୀତ ଆଜି ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖି ଜବାବ ଦାଖଲ କରିବା ଲାଗି ଅଧିକ ସମୟ ଦେବାକୁ କେନ୍ଦ୍ର ଆବେଦନ କରିଥିଲା। ଆଇପିସି ଧାରା ୩୭୭ରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପ୍ରାଣୀ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିରେ ଜଡ଼ିତ ହୋଇ ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିବ ବୋଲି ବ୍ୟବସ୍ଥା ରହିଛି।