ଗଛ ମୂଳରେ ସ୍କୁଲ, ଶିକ୍ଷକଙ୍କ ବଦଳରେ ପାଠ ପଢାଉଛନ୍ତି ଅଭିଭାବକ! କଳାହାଣ୍ଡିରୁ ଆସିଲା ସର୍ବଶିକ୍ଷା ଅଭିଯାନର ବାସ୍ତବ ଚିତ୍ର ।

30

କନକ ବ୍ୟୁରୋ : ବାଟ ହୁଡିଛି ସର୍ବଶିକ୍ଷା ଅଭିଯାନର ମୂଳଲକ୍ଷ୍ୟ । ପ୍ରତିଦିନ କେଉଁଠି ନା କେଉଁଠୁ ସ୍କୁଲ ଅବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି । ସ୍କୁଲରେ ଅବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ବିଫଳ ହେବା ପରେ ସ୍କୁଲର ତାଲା ପକାଇ ଗାଁ ଦାଣ୍ଡରେ ପିଲାଙ୍କୁ ପାଠ ପଢାଉଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା କଳାହାଣ୍ଡିରେ ଦେଖିବାକୁ ମିଳିଛି ।

vlcsnap-2018-01-13-17h54m58s455ସ୍କୁଲରେ ତାଲା ଗଛମୂଳେ ପିଲା । ଶିକ୍ଷକଙ୍କ ବଦଳରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଅଭିଭାବକ । ରାସ୍ତା ଉପରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ଏଇଠି ବି ରନ୍ଧା ଖାଦ୍ୟକୁ ଖାଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କେରାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଦିଦ୍ୟାଳୟରେ ଦେଖିବାକୁ ମିଳିଛି । ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ହେଉଥିବାରୁ ତାତି ଉଠିଥିଲେ ଅଭିଭାବକ । ପ୍ରଥମରୁ ଅଷ୍ଟମ ଯାଏଁ ପ୍ରାୟ ୨ଶହ ପିଲାଙ୍କୁ ପଢାଇବା ପାଇଁ ସ୍କୁଲକୁ ଆସିଥିଲେ ଜଣେ ମାତ୍ର ଶିକ୍ଷକ । ପ୍ରଧାନ ଶିକ୍ଷକ ସରକାରୀ କାର୍ଯ୍ୟ ଯୋଗୁଁ ଅନୁପସ୍ଥିତ ରହିଥିବା ବେଳେ ଆଉ ୨ ଜଣ ଶିକ୍ଷକ ବିନା ନୋଟିସରେ ଛୁଟିରେ ରହିଥିଲେ । ଯାହାର ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଗାଁ ମୁଣ୍ଡ ଗଛତଳେ ପିଲାଙ୍କୁ ପାଠ ପଢାଇଥିଲେ ଅଭିଭାବକ ।

ଶିକ୍ଷକମାନେ ନିୟମିତ ସ୍କୁଲକୁ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ଶିକ୍ଷାଧିକାରୀ କହିଛନ୍ତି । କଳାହାଣ୍ଡି କେରାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ତ ଦେଖିଲେ, ଏହା ହିଁ ସ୍ପଷ୍ଟ କରୁଛି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଏ ପ୍ରତିବାଦ ଆଗକୁ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।