ବେଙ୍ଗାଲୁରୁ ସ୍କୁଲରେ ହଇଚଇ । ଅଷ୍ଟମ, ନବମ,୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବାହାରୁଛି ଗର୍ଭନିରୋଧକ ବଟିକା ସହ ଆପତ୍ତିଜନକ ସାମଗ୍ରୀ ।

809

କନକ ବ୍ୟୁରୋ: ଅଷ୍ଟମ , ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଗର୍ଭ ନିରୋଧକ ବଟିକା, ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏହା ଦେଖି ସ୍କୁଲର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପ୍ରିନ୍ସିପାଲ ସମସ୍ତଙ୍କ ମୁଣ୍ଡରେ ଚଡକ ପଡିଛି । ଏପରି ଘଟଣା କୌଣସି ଗୋଟିଏ ସ୍କୁଲରେ ନୁହେଁ ବରଂ ବେଙ୍ଗାଲୁରୁର ଏକାଧିକ ସ୍କୁଲରେ ଘଟିଛି ।

କଥା ହେଉଛି, କିଛି ସ୍କୁଲରେ ଏହି ଶ୍ରେଣୀର ଛାତ୍ରମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ମିଳିବା ପରେ ସେମାନଙ୍କ ବ୍ୟାଗ ତଲାସି କରାଯାଇଥିଲା । ଆଉ ସେଥିରୁ ଯାହା ମିଳିଲା ସେଥିରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଅଷ୍ଟମ , ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଅତି ସାଙ୍ଘାତିକ ଜିନିଷ ମିଳିଥିଲା । ସ୍କୁଲ ବ୍ୟାଗରୁ କଣ୍ଡୋମ୍ ସହ, ଗର୍ଭନିରୋଧକ ବଟିକା ମିଳିଥିଲା । ପାଣି ବୋତଲରେ ମଦ ମିଳିଥିଲା । ଆଉ ସେମାନଙ୍କ ବ୍ୟାଗରୁ ଲାଇଟର ଓ ସିଗାରେଟ୍ ବି ଜବତ ହୋଇଥିଲା । ଏହି ଘଟଣା ପରେ ଏଣିକିି ପ୍ରତିଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ତଲାସି କରିବାକୁ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ସେମାନଙ୍କୁ କାଉନସେଲିଂ କରିବାକୁ ଯୋଜନା କରିଛନ୍ତି । ଏହାସହ ସେମାନଙ୍କ ଅଭିଭାବକଙ୍କୁ ଡକାଇ ମିଟିଙ୍ଗ କରିଥିଲେ । ଏହା ଜାଣିବା ପରେ ଅଭିଭାବକ ମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ସେମାନଙ୍କ ପିଲାମାନଙ୍କ ବ୍ୟବହାରରେ କିଛି ଦିନି ହେବ ପରିବର୍ତ୍ତନ ଦେଖିଥିବା କହିଥିଲେ ।

ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ଛାତ୍ର ସମାଜର ମାନସିକ ସ୍ଖଳକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।