‘ରାମଦେବଙ୍କ ଚିକିତ୍ସାରେ ରୋଗ ଭଲ ହେବ ବୋଲି ଗ୍ୟାରେଣ୍ଟି କ’ଣ ? ’ ପତଞ୍ଜଳି ସଂସ୍ଥାନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

518

କନକ ବ୍ୟୁରୋ : ନିଜର ଚିକିତ୍ସା ପଦ୍ଧତିକୁ ଭଲ କହି ଆଲୋପାଥିକ ଚିକିତ୍ସାକୁ ବଦନାମ କରିପାରିବେ ନାହିଁ । ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରର ଅନ୍ୟତମ ପ୍ରତିଷ୍ଠାତା ତଥା ଯୋଗଗୁରୁ ବାବା ରାମଦେବଙ୍କୁ ଏପରି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନା । ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଏଥିସହ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ର ଏବଂ କେନ୍ଦ୍ର ସରକାରକୁ ସମନ କରି ଜବାବ ରଖିବାକୁ କହିଛନ୍ତି କୋର୍ଟ ।

ବିଭିନ୍ନ ସମୟରେ ଆଲୋପାଥି ଚିକିତ୍ସା କରି ବିଜ୍ଞାପନ ଦେଉଥିଲା ପତଞ୍ଜଳି । ଏଥିସହ ନିଜେ ରାମଦେବ ମଧ୍ୟ ବିବୃତି ରଖି ଆଲୋପାଥି ଚିକିତ୍ସାକୁ ଚ୍ୟାଲେଞ୍ଜ କରୁଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ପ୍ରଧାନ ବିଚାରପତି କହିଛନ୍ତି, ବାବା ରାମଦେବ ନିଜ ଚିକିତ୍ସା ପଦ୍ଧତି ପାଇଁ ଲୋକପ୍ରିୟ । କିନ୍ତୁ ଅନ୍ୟର ଚିକିତ୍ସା ପଦ୍ଧତିକୁ ସମାଲୋଚନା କରିପାରିବେ ନାହିଁ । କିନ୍ତୁ ନିଜ ଚିକିତ୍ସାରେ ସବୁ କିଛି ଠିକ୍ ହୋଇପାରିବ ବୋଲି କ’ଣ ଗ୍ୟାରେଣ୍ଟି ରହିଛି ବୋଲି ସେଜିଆଇ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ସମାନ ପ୍ରସଙ୍ଗରେ ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ସମାଲୋଚନା କରିଥିଲେ ।