ବେନାମୀ ସମ୍ପତ୍ତିକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ରାୟ : ଆଉ ହେବନି ୩ ବର୍ଷ ଯାଏଁ ଜେଲ ଦଣ୍ଡ

320

କନକ ବ୍ୟୁରୋ: ବେନାମୀ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ମଙ୍ଗଳବାର ଏକ ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ବେନାମୀ ସମ୍ପତ୍ତି ନେଣଦେଣ ନିଷେଧ ଅଧିନିୟମ ୧୯୮୮ର ଧାରା ୩(୨)କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏଣୁ ବେନାମୀ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁଁ ୩ ବର୍ଷର ଜେଲଦଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ  । ପୂର୍ବରୁ ବେନାମୀ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ନିୟମ କରିଥିଲେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏମିତିରେ ୨୦୧୬ର ସଂଶୋଧିତ ଅଧିନିୟମ ଧାରା ୩(୨) ମଧ୍ୟ ଅସାମ୍ବିଧାନିକ। କାରଣ ୨୦୧୬ରେ ସଂଶୋଧିତ ବେନାମୀ ଅଧିନିୟମକୁ ପଛୁଆ ଭାବେ ଲାଗୁ କରାଯାଇପାରିବନି ବୋଲି କୋର୍ଟ କହିଛନ୍ତି। ବେନାମୀ ସମ୍ପତ୍ତି ସେହି ସମ୍ପତ୍ତି ଯାହା ଲାଗି ମୂଲ୍ୟ ଆଉ କେହି ପୈଠ କରିଥାଏ ଓ ସମ୍ପତ୍ତି ଆଉ କାହା ନାମରେ ହୋଇଥାଏ। ଏପରି ସମ୍ପତ୍ତି ପତ୍ନୀ, ସନ୍ତାନ ଅଥବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ନାମରେ ମଧ୍ୟ କ୍ରୟ ହୋଇଥାଏ। ଯାହାଙ୍କ ନାମରେ ଏପରି ସମ୍ପତ୍ତି କ୍ରୟ ହୋଇଥାଏ ତାକୁ ବେନାମୀ କୁହାଯାଏ।