ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ବେଳେ ଆକର୍ଷଣ ପାଲଟିଲା ସାନ୍ତାଳୀ ନାଚ: ଆଦିବାସୀ ଭୋଟବ୍ୟାଙ୍କ ପାଇଁ ପ୍ରୟୋଗ ହେଉଛି କି ସାନ୍ତାଳୀ ନୃତ୍ୟ

103

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଯେଉଁ ଭବ୍ୟ ଆୟୋଜନ କରାଯାଇଥିଲା, ଏ ହେଉଛି ତାର ଏକ ଅଂଶ । ସମ୍ମାନ ପାଇ ଦିଲ୍ଲୀରୁ ଫେରିବା ପରେ ବିଜେଡି ସୁପ୍ରିମୋଙ୍କୁ ଦଳୀୟ ନେତାଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ବେଳେ ପ୍ରମୁଖ ଆକର୍ଷଣ ପାଲଟିଛି ସାନ୍ତାଳୀ ନାଚ । ମୟୂରଭଞ୍ଜର ସାନ୍ତାଳୀ ଟ୍ରୁପ୍ ଭୁବନେଶ୍ୱର ବିମାନବନ୍ଦର ବାହାରେ ନିଜର ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶନ କରିଛନ୍ତି । ବିଜେଡିର ଶକ୍ତି ପ୍ରଦର୍ଶନ ଭିତରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ଏକ ପ୍ରମୁଖ ଉପାଦାନ ପାଲଟିଛି ।

ରାଜନୀତିରେ ସାନ୍ତାଳୀ ନାଚର ପ୍ରୟୋଗ ଚାଲିଛି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଭୁବନେଶ୍ୱର ବିମାନବନ୍ଦର ବାହାରେ ବିଜେପି ନେତାଙ୍କ ଗହଳି ଲାଗିଥିବାବେଳେ ପ୍ରଦର୍ଶିତ ହୋଇଥିଲା ସାନ୍ତାଳୀ ନାଚ । କୁହାଯାଉଛି ସାନ୍ତାଳୀ ସଂପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବା ପରେ ରାଜନୀତିରେ ଏହି ସମାଜର ଗୁରୁତ୍ୱ ଢେର ବଢିଯାଇଛି । ଆଦିବାସୀ ଭୋଟ୍ ବ୍ୟାଙ୍କକୁ ନଜରରେ ରଖି ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ସାନ୍ତାଳୀ ନାଚ ପରିବେଷଣ ହେଉଛି ।

ଦେଶର ପ୍ରାୟ ୮.୬ ପ୍ରତିଶତ ଆଦିବାସୀଙ୍କ ଭୋଟ୍ ବ୍ୟାଙ୍କକୁ ନଜରରେ ରଖି ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଇସିନା ହିଲ ପଠାଇଥିବା ଚର୍ଚ୍ଚା ହେଉଥିଲା । ଏପଟେ ଓଡିଶାରେ ମୋଟ ଜନସଂଖ୍ୟାର ପ୍ରାୟ ୨୨.୮୪ ପ୍ରତିଶତ ଅଦିବାସୀ ବା ଅନୁସୂଚିତ ଜନଜାତି । ତେଣୁ ସେମାନଙ୍କ ପ୍ରତିନିଧିତ୍ୱକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ରାଜନୈତିକ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ନେତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ପାରମ୍ପରିକ ନାଚ, ଗୀତ ଆମେ ଆଗରୁ ମଧ୍ୟ ଦେଖିଛେ । ହେଲେ ନିର୍ଦ୍ଦିଷ୍ଟ ଏକ ସଂପ୍ରଦାୟର ନାଚକୁ ନେଇ ରାଜନୈତିକ ପ୍ରୟୋଗ ପ୍ରଥମଥର ରାଜ୍ୟରେ ଦେଖିବାକୁ ମିଳୁଛି ।