ନବରଙ୍ଗପୁରରେ ଭୟଙ୍କର ହେଉଛି ଝାଡାବାନ୍ତି: ଖୋଲା ଆକାଶ ତଳେ ଶୋଇଛନ୍ତି ରୋଗୀ, ଗଛରେ ଝୁଲିଛି ସାଲାଇନ

91

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ଯେତେବେଳେ ଝାଡାବାନ୍ତି ବ୍ୟାପେ ସେତେବେଳେ କେବଳ ଜନସାଧାରଣ ନୁହଁନ୍ତି ପ୍ରଶାସନିକ ଅଧିକାରୀ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଆନ୍ତି । ଏ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭୀରଗୁଡା ପଂଚାୟତର ଭୋଇ ସାହିର ଖବର । ଝାଡାବାନ୍ତି ବ୍ୟାପିଥିବା ନେଇ ଚର୍ଚ୍ଚା ହେବା ପରେ ଡାକ୍ତରମାନେ ଗାଁକୁ ଆସି ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି । କିଛି ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆଉ କିଛି ଖୋଲା ଆକାଶ ତଳେ ଚିିକିତ୍ସିତ ହେଉଛନ୍ତି ।

ଖଟିଆ ଉପରେ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ଶୋଇଛନ୍ତି । ଏବଂ ଦିଆଯାଉଛି ସାଲାଇନ୍ । ଆଉ ଏହି ସାଲାଇନ ଝୁଲୁଛି ଗଛ ଡାଳରେ । ଡାକ୍ତର ଏବଂ ଆଶାକର୍ମୀ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସୁଧାକର ପାରାଭୋଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିବା ବେଳେ ପରେ ମା’ ଦେମତି ପାରାଭୋଇ ମଧ୍ୟ ପ୍ରାଣ ହରାଇଛନ୍ତି । ଦେମତି ଜ୍ୱରରେ ଆକ୍ରାନ୍ତ ଥିବା ସୂଚନା ରହିଛି । ସେହିପରି ଗାଁରେ ଆଉ କିଛି ଲୋକ ମଧ୍ୟ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ନୂଆଖାଇ ପରେ ପରେ ବଲାଙ୍ଗୀର ପାଟଣାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଡିଆବାହାଲ ପଂଚାୟତ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିଛି । ଆଈ ନାତିର ମୃତ୍ୟୁ ପରେ ସଜାଗ ହୋଇଛି ପ୍ରଶାସନ । ଝାଡାବାନ୍ତିର କାରଣ ସ୍ପଷ୍ଟ ହୋଇନି । କିନ୍ତୁ ଯେଉଁ ଖୋଲା କୂଅର ପାଣି ପାଇଁ ଝାଡାବାନ୍ତି ବ୍ୟାପିଥିଲା ବୋଲି ସନ୍ଦେହ କରାଯାଉଛି ତାକୁ ବନ୍ଦ କରିଦେଇଛି ପ୍ରଶାସନ । ଗାଁ ଦାଣ୍ଡରେ ପାଣି ଟାଙ୍କି ଟ୍ରକ ଆସି ଲାଗିଛି । ଆଉ ଅଙ୍ଗନବାଡି କର୍ମୀ ଘରକୁ ଘର ବୋଲି ଲୋକଙ୍କୁ ବିଶୁଦ୍ଧ ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରି ପ୍ରଶାସନ ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦେଇଛି ।