ମହାମାରୀ ମହାମୁକାବିଲାରେ ସାମିଲ ହେଲା ଓଡିଶା: ପ୍ରଥମ ଦିନ ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ନିର୍ଦ୍ଧାରିତ ତାଲିକାର ୮୫ ପ୍ରତିଶତରୁ ଅଧିକ ଲୋକ ନେଲେ ଟିକା; ଆଜି ବନ୍ଦ ରହିବ ଟିକାକରଣ

ପ୍ରଥମ ଦିନରେ ହେବ ସମୀକ୍ଷା

108

କନକ ବ୍ୟୁରୋ: ପ୍ରାୟ ୧୦ ମାସ ଧରି ଯାହାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ, କରୋନା ବିରୋଧରେ ସେହି ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇସାରିଛି । ଓଡିଶାରେ ଗତକାଲି ନିର୍ଦ୍ଧାରିତ ତାଲିକାର ୮୫ ପ୍ରତିଶତରୁ ଅଧିକ କୋଭିଡ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କରୋନା ଟିକା ବା ମହୌଷଧୀ ଦିଆଯାଇଛି ।

ରାଜ୍ୟର ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୪୦୫ ସ୍ବାସ୍ଥ୍ୟକର୍ମୀ/ଆଇସିଡିଏସ୍‌ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ଦ୍ଧାରିତ ତାଲିକାର ୮୫ ପ୍ରତିଶତ ଟିକାଦାନ ହୋଇଥିବା ସୂଚନା ମିଳିଛି। ସମୁଦାୟ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଆଦି ୭ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ଜଣାଯାଇଛି। ଟିକା ନେବା ପରେ ଲୋକଙ୍କଠାରେ କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଇନାହିଁ। ତେବେ ଆଜି ରାଜ୍ୟରେ ଟିକାକରଣ ବନ୍ଦ ରଖାଯିବ । ମୁଖ୍ୟତଃ ଏହି ପ୍ରଥମ ଦିନ ଟିକା କରଣ ବ୍ୟବସ୍ଥାର ସମୀକ୍ଷା କରାଯିବ ଏବଂ ସୋମବାରଠାରୁ ଏହି କାର୍ଯ୍ୟକ୍ରମ ପୁଣି ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଧାରିତ ସମସ୍ତ ତାଲିକାଭୁକ୍ତ ଟିକା ଗ୍ରହଣକାରୀଙ୍କୁ ଟିକା ଦେବା ଶେଷ ହେବାଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ ।

କେଉଁଠି କିଏ ପ୍ରଥମ ଟିକା ନେଲେ ?

୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭାକ୍ସିନ୍ ଟିକା ‌ଦିଆଯାଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ବିରଞ୍ଚି ନାୟକ, ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିଏମ୍‌ଇଟି ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ଏମ୍‌ସରେ ଏମ୍‌ସ ନିର୍ଦ୍ଦେଶକ ଗୀତାଞ୍ଜଳି ବାତମାନବାନେ, ବିଏମ୍‌ସି ହସ୍ପିଟାଲରେ ‌ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ପାଢ଼ୀ, ସମ୍‌ ହସ୍ପିଟାଲରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, କିମ୍‌ସ ହସ୍ପିଟାଲରେ କିମ୍‌ସର ଡାଇରେକ୍ଟର ଜେନେ‌ରାଲ ଏବଂ ପ୍ରିନସିପାଲ୍‌ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ ପ୍ରଥମ ଟିକା ନେଇଥିଲେ।