ମହାମାରୀ ପାଇଁ ମହାକବଚ: ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ

୩ ହଜାର ୩୫୦ରୁ ଅଧିକ କେନ୍ଦ୍ରରେ ହେଲା ଟିକାଦାନ । ପାଶ୍ୱର୍ପ୍ରତିକ୍ରୀୟା ଜନିତ କୌଣସି ବ୍ୟକ୍ତି ଡାକ୍ତରଖାନାରେ ନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା

67

କନକ ବ୍ୟୁରୋ: ଭାରତରେ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ସଂକଟ ସମୟରେ କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ନରେନ୍ଦ୍ର ମୋଦୀ । କହିଛନ୍ତି- ଭାରତର ଟିକା ଉପରେ ରହିଛି ଦୁନିଆର ନଜର । ଦେଶବ୍ୟାପୀ ୩ ହଜାର ୩୫୧ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଥିଲା ।

ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ ଟିକା ଦିଆଯାଇଥିଲା । ସେହିପରି ଟିକା ନିରାପଦ ଏହି ବାର୍ତା ଦେବାକୁ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ, ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଭଳି ବଡବଡ ବ୍ୟକ୍ତି ଟିକା ନେଇଛନ୍ତି । ଆଉ ଏସବୁ ଭିତରେ ଆଶ୍ୱସ୍ତିକର ବୟାନ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କହିଛନ୍ତି, ପ୍ରଥମ ଦିନରେ ଟିକା ନେବା ପରେ ଜଣେ କେହି ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇନାହାନ୍ତି ।  ସାରା ଦେଶରେ ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।