କେମିତି ହୁଏ କିଡନୀ ପ୍ରତ୍ୟାରୋପଣ ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ ? ଜାଣନ୍ତୁ କିଡନୀ ଦଲାଲଙ୍କଠୁ ବର୍ତ୍ତିବେ କେମିତି…

119

କନକ ବ୍ୟୁରୋ: କିଡନୀ ରୋଗରେ ପୀଡିତ ବ୍ୟକ୍ତି ଯେତେବେଳେ ଜୀବନ ମୃତ୍ୟୁର ସଂଘର୍ଷ କରୁଥାନ୍ତି, ସେତେବେଳେ ଏହାର ସୁଯୋଗ ନେଇଥାନ୍ତି ଦଲାଲ । କିଡନୀ ଯୋଗାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥାନ୍ତି । ଠକେଇ ଅଭିଯୋଗରେ ଗିରଫ ହୋଇଥିବା ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ । କିଡନୀ ରାକେଟର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି, ଏନେଇ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ଏହି ରାକେଟରେ  ଘରୋଇ ଡାକ୍ତରଖାନା ଓ କିଛି କର୍ମଚାରୀଙ୍କ ସଂପର୍କ ଥିବା ନେଇ ହେଉଥିବା ଅଭିଯୋଗ ଉପରେ ମଧ୍ୟ ଅଧିକ ତନାଘନା କରାଯିବ ।

କେମିତି ହୁଏ କିଡନୀ ପ୍ରତ୍ୟାରୋପଣ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ? କୌଣସି ଅଙ୍ଗ ପ୍ରତ୍ୟାରୋପଣ ଏତେ ସହଜ ନୁହେଁ । ଏଥିରେ ରହିଛି ବହୁ କଟକଣା । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କେଉଁମାନେ ଦାନ କରିପାରିବେ କିଡ୍ନୀ ତାହା ଉପରେ ନଜର ପକାଇବା …

ରକ୍ତ ସଂପର୍କୀୟ – ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ନାତି, ନାତୁଣୀ, ଜେଜେବାପା, ଜେଜେମାଆ

ଅନ୍ୟ ଭାବଗତ ସମ୍ପର୍କୀୟ – ବନ୍ଧୁ, ସ୍ୱାମୀ/ସ୍ତ୍ରୀ, ଭଲ ପାଉଥିବା ବ୍ୟକ୍ତି

ଏହା ସହ ଦାତାଙ୍କ ତଥ୍ୟ ନେଇ ୨୭ ପ୍ରକାର କାଗଜପତ୍ର ଆବଶ୍ୟକ । ଏହି ସମସ୍ତ କାମ ଜଣେ ଡାକ୍ତରଙ୍କ ତତ୍ୱାବଧାନରେ ହୋଇଥାଏ । ସରକାରଙ୍କ ଅନୁମତି ମିଳିବା ପରେ କିଡ୍ନୀ ପ୍ରତ୍ୟାରୋପଣ ହେବା ସମ୍ଭବପର ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ଭାବଗତ ସଂପର୍କର ନକଲି କାଗଜପତ୍ର ଦେଖାଇ ଦଲାଲ ମାନେ ଠକାମୀ କରୁଥିବା କୁହାଯାଉଛି । ତେବେ ଆଇନ୍ ଅନୁସାରେ ଏହି ପ୍ରକ୍ରିୟା ନକଲେ ପ୍ରତ୍ୟାରୋପଣ ସମ୍ଭବ ନୁହେଁ । ଲୋକଙ୍କ ଅସୁବିଧା ଓ ଅଜ୍ଞତାର ସୁଯୋଗ ନେଉଛନ୍ତି ଦଲାଲ ।

କିଡନୀ ପ୍ରତ୍ୟାରୋପ ଘଟଣାର ଅଧିକ ତଦନ୍ତ ପରେ ଏହା ପଛରେ ଥିବା ରାକେଟର ଗୁମର ଫିଟିବ ବୋଲି ଆଶା କରାଯାଉଛି । ସେପଟେ ଅଙ୍ଗ ପ୍ରତ୍ୟାରୋପଣ ନେଇ ଅଧିକ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି ।