କପି ପାଇଁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରସଙ୍ଗ ! ମାଧ୍ୟମିକ ଶିକ୍ଷା ପରିଷଦକୁ ତଦନ୍ତ ପାଇଁ କର୍ତୃପକ୍ଷ ଲେଖିବେ ଚିଠି

32

କନକ ବ୍ୟୁରୋ : କପି ପାଇଁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମାଧ୍ୟମିକ ଶିକ୍ଷା ପରିଷଦକୁ ତଦନ୍ତ ପାଇଁ କର୍ତୃପକ୍ଷ ଲେଖିବେ ଚିଠି । କପି ଯୋଗାଇବାକୁ ଛାତ୍ରଛାତ୍ରୀଙ୍କ ଠାରୁ କିଭଳି ଟଙ୍କା ଆଦାୟ କରାଗଲା ଏବଂ ଏଥିରେ କେତେ ସତ୍ୟତା ଅଛି ତାହାର ତନାଘନା କରାଯିବ । ସମ୍ବଲପୁର ବୁଢାରାଜା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କପି ଦାବିରେ ଗତକାଲି ଏକ ଘଂଟା କାଳ ପରୀକ୍ଷା ବର୍ଜନ କରିଥିଲେ । କପି ପାଇଁ ଶିକ୍ଷକ ତାଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ । ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଓପନ ସ୍କୁଲର ୧୦ମ ଶ୍ରେଣୀ ପରୀକ୍ଷା ଥିଲା ।

ଆଉ ପରୀକ୍ଷା ଦେବାକୁ ବୁଢାରାଜା ହାଇସ୍କୁଲର ୧୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ କପି ପାଇଁ ଦାବି କରିଥିଲେ । ସେମାନେ ଅଭିଯୋଗ କରିଥିଲେ, ଆଡମିଶନ ସମୟରେ ସ୍କୁଲ କର୍ତୃପକ୍ଷ ଆଡମିଶନ ଫି ସହିତ ଅଧିକ ୩୫ ଶହ ଟଙ୍କା ନେଇଥିଲେ । ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଇବା ସହ ୩୦ ମାର୍କର କପି ଦିଆଯିବାକୁ କହି ଏହି ଟଙ୍କା ନିଆଯାଇଥିଲା । ପୋଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଏକଘଂଟା ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିଲା । ହାଇସ୍କୁଲର ଶିକ୍ଷକ ଟଙ୍କା ନେବା ଘଟଣାକୁ ଅସ୍ୱୀକାର କରିଥିଲେ ।