ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ବଢ଼ିଲା ପୋଲିସ ସୁରକ୍ଷା : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମୁମ୍ବାଇର ଘରୋଇ ବିମାନ ବନ୍ଦରରେ ଆସିଲେ ନଜର

124

କନକ ବ୍ୟୁରୋ : ଅଭିନେତା ସଲମାନ୍ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି । ସଲମାନ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଛି । ଏକ ପୋଲିସ ଟିମ୍ ତାଙ୍କ ଘରକୁ ଯିବା ସହ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ବାନ୍ଦ୍ରା ସ୍ଥିତ ବ୍ୟାଣ୍ଡସାଣ୍ଡରେ ଥିବା ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ପୋଲିସ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଲମାନଙ୍କୁ ମୁମ୍ବାଇର ଏକ ଘରୋଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ।

ବାନ୍ଦ୍ରା ପୋଲିସ ବ୍ୟତୀତ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରୁଛି । ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସମେତ ୫ ଜଣଙ୍କ ବୟାନ୍ ରେକର୍ଡ କରିଛି । ପ୍ରତିଦିନ ମର୍ଣ୍ଣିଂୱାକ୍ ସାରି ସଲିମ୍ ଯେଉଁ ବେଂଚରେ ବସନ୍ତି, ତାଙ୍କୁ ସେଠାରୁ ଏକ ଚିଠି ମିଳିଥିଲା । ଏଥିରେ ସେମାନଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅବସ୍ଥା ଭୋଗିବାକୁ ହେବ ବୋଲି ଧମକ ଦିଆଯାଇଥିଲା । ଏନେଇ ବାନ୍ଦ୍ରା ଥାନାରେ ଏକ ମାମଲା ରୁଜୁ କରାଯାଇ ସିସିଟିଭି ଯାଞ୍ଚ କରାଯାଇଛି ।

ଚିଠି ପଠାଇବା ପଛରେ ଅଣ୍ଡରୱାର୍ଲଡ ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରିଛି । ୨୦୧୮ ମସିହାରେ ସଲମାନଙ୍କୁ ଖୁଲ୍ଲମଖୁଲା ହତ୍ୟା ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ । ପଞ୍ଜାବୀ ଗାୟକ ମୁସେୱାଲା ହତ୍ୟା ଘଟଣାରେ ବିଷ୍ଣୋୟୀ ଗ୍ୟାଙ୍ଗର ହାତ ଥିବା ତଦନ୍ତରୁ ଜଣାପଡିଛି ।