ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ। ଦକ୍ଷିଣ ଆଫ୍ରିକାରେ ଟଙ୍କା ହଡପ କରି ହୋଇଥିଲେ ଫେରାର।

130

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବ୍ରଦର୍ସ ସୋମବାର ୟୁଏଇରୁ ଗିରଫ ହୋଇଛନ୍ତି । ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତାଙ୍କ ବିରୋଧରେ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ ସମୟରେ କୋଟିକୋଟି ଟଙ୍କା ହଡପର ଅଭିଯୋଗ ରହିଛି । ଇଣ୍ଟରପୋଲ ଜରିଆରଏହି ଦୁଇ ଭାଇଙ୍କୁ ଗିରଫ କରାଯାଇଛି । ଏନେଇ ଦକ୍ଷିଣ ଆଫ୍ରିକା ପକ୍ଷରୁ ସୂଚନା ଦିଆଯାଇଛି । ୟୁଏଇର ପ୍ରବର୍ତ୍ତନ ଅଧିକାରୀ ଗୁପ୍ତା ଭାଇଙ୍କୁ ଗିରଫ କରିଥିଲେ । ତେବେ ସେମାନଙ୍କର ତୃତୀୟ ଭାଇ ଅଜୟ ଗୁପ୍ତା ଗିରଫ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ମିଳିପାରିନାହିଁ ।

କଣ ରହିଛି ଗୁପ୍ତା ଭାଇଙ୍କ ବିରୋଧରେ ଅଭିଯୋଗ?
ଗୁପ୍ତା ଭାଇଙ୍କର ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କ ସହିତ ଭଲ ସମ୍ପର୍କ ଥିଲା । ଏହାର ଫାଇଦା ଉଠାଇ ସେମାନେ କୋଟିକୋଟି ଟଙ୍କାର ଆର୍ଥିକ ଫାଇଦା ଉଠାଇଛନ୍ତି । ସେହିଭଳି ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତିରେ ବି ଏମାନଙ୍କ ଭୂମିକା ରହୁଥିଲା ।

ସୂଚନା ଅନୁସାରେ ୨୦୧୮ ମସିହାରେ ଗୁପ୍ତା ପରିବାର ନିଜ ଇଚ୍ଛାରେ ଦକ୍ଷିଣ ଆଫ୍ରିକା ଛାଡି ଦୁବାଇ ଚାଲିଯାଇଥିଲେ । ସେମାନେ କୋଟି କୋଟି ଟଙ୍କା ହଡପ କରିବା ପରେ ସପରିବାର ଦୁବାଇ ପଳାୟନ କରିଥିଲେ । କେବଳ ଏତିକି ନୁହେଁ ଠକେଇର ଅନୁଧ୍ୟାନ କରୁଥିବା ଆଫ୍ରିକାର ସିଇଓ ୱେନେ ଡୁବେନହେଜ କହିଛନ୍ତି ଆଫ୍ରିକା ଛାଡିବା ପୂର୍ବରୁ ଗୁପ୍ତା ଭାଇ ୧୫ ବିଲିୟନ ଆଫ୍ରିକୀୟ ଟଙ୍କା ନେଇଛନ୍ତି ।

ପୂର୍ବରୁ ଇଣ୍ଟରପୋଲ ଗୁପ୍ତାବ୍ରଦର୍ସ ବିରୋଧରେ ରେଡ୍ ନୋଟିସ ଜାରି କରିସାରିଥିଲା । ସେମାନଙ୍କ ଆମେରିକା ଏବଂ ୟୁକେ ଆସିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିସାରିଥିଲା । ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକାରୁ ଗୁପ୍ତା ଭ୍ରାତା ପଳାୟନ କରିଥିଲେ । ସେତେବେଳେ ଦେଶରେ ଜାକବ ଜୁମାଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ହେଉଥିଲା । ଲୋକେ ଦାବି କରୁଥିଲେ ଜାକବ ଜୁମାକୁ ହଟାଇ ସିରିଲ ରାମଫୋସାଙ୍କୁ ନୂଆ ରାଷ୍ଟ୍ରପତି କରଯାଉ । ବର୍ତ୍ତମାନ ଶୀଘ୍ର ଉଭୟ ଭାଇଙ୍କୁ ଦକ୍ଷିଣ ଆଫ୍ରିକା ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବରୁ ଏହା ସମ୍ଭବ ହୋଇପାରୁନଥିବା ବେଳେ ୨୦୨୧ ଜୁନରେ ୟୁଏଇ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରତ୍ୟାର୍ପଣ ସନ୍ଧି ସ୍ୱାକ୍ଷର ହେବା ପରେ ଏହା ସମ୍ଭବ ହୋଇପାରିଛି ।