୨୭ ଦିନରେ ୟୁକ୍ରେନ-ଋଷ ଯୁଦ୍ଧ: ଯୁଦ୍ଧ ଭିତରେ ଋଷର ପରମାଣୁ ଆକ୍ରମଣ ଆଶଙ୍କା କଲେ ବିଶେଷଜ୍ଞ

255

କନକ ବ୍ୟୁରୋ: ଋୁଷ ୟୁକ୍ରେନ ଯୁଦ୍ଧ ଏବେ ୨୭ ଦିନରେ ପହଂଚିଛି । ଏହାରି ମଧ୍ୟରେ ରୁଷ୍ ୟୁକ୍ରେନ ଉପରେ ଘନ ଘନ ବୋମା ମାଡ, ସୁପରସୋନିକ ମିଶାଇଲ ମାଡ କରିଚାଲିଛି । ହସ୍ପିଟାଲ, ଡାକ୍ତରଖାନା , ଆପାର୍ଟମେଂଟ ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୋମା ବର୍ଷଣ କରୁଛି ରୁଷ୍ । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ପେଣ୍ଠସ୍ଥଳୀ ଖାରକିଭ୍ରୁ ଆସିଛି ଗୋଟିଏ ଛାତିଥରା ଦୃଶ୍ୟ । ଖାରକିବ୍ ଓ କିବ୍ର ପ୍ରତ୍ୟେକ ସ୍ଥାନ ବିପଦପୂର୍ଣ୍ଣ କୁହାଯାଉଥିବା ବେଳେ ଖାରକିବର ଗୋଟିଏ ସପିଂମଲ ଉପରେ ଆକ୍ରମଣ କରିଛି କ୍ରେମଲିନ । ରୁଷ ଖାରକିବ୍ର ଗୋଟିଏ ମଲ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଜନସାଧାରଣ ଜିନିଷ କିଣିବା ପାଇଁ ଲାଇନରେ ଠିଆ ହୋଇଥିବାବେଳେ ଆଖିପିଛୁଳାକେ ମଲ୍ ଭିତରେ ବୋମା ବିସ୍ଫୋରଣ ହେଲା । ଆଉ ଏହାରି ଭିତରେ ୮ ଜଣ ନିରିହ ନାଗରିକଙ୍କ ମୃତ୍ୟୁ ହୋଇଛି । ପୂର୍ବ ୟୁକ୍ରେନଠୁ ପଶ୍ଚିମ ୟୁକ୍ରେନ, ଉତର, ଦକ୍ଷିଣ । ସବୁଠି କେବଳ ଧ୍ୱଂସବିଧ୍ୱଂସର ଚିତ୍ର । ଏହା ଭିତରେ ଖେରସେନରୁ ଆସିଛି ଏକ ଲୋମହର୍ଷଣକାରୀ ଦୃଶ୍ୟ । ଫ୍ରିଡ ସ୍ୱାୟରରେ ୟୁକ୍ରେନବାସୀ ରୁଷ ସେନା ବିରୋଧରେ ପ୍ରଦର୍ଶନ କରୁଥିବା ସମୟରେ ଏମାନଙ୍କ ଉପରେ ଆଖି ବୁଜା ଗୁଳିମାଡ କରିଛି ପୁଟିନ ସେନା ।

ରୁଷ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଭିତରେ ଭାରତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ନେଈ ଭାରତର ପ୍ରତିକ୍ରିୟା ଦୁର୍ବଳ ରହିଥିବା ଆମେରିକା କହିଛି । ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ରୁଷର ୟୁକ୍ରେନ ଆକ୍ରମଣକୁ ଦୃଡ ନିନ୍ଦ କରୁଥିବାବେଳେ ଭାରତ ସିଧାସଳଖ ଏଭଳି କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ରଖିନି ।

ଯୁଦ୍ଧ ସଙ୍କଟ ଭିତରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସୁଛି । ହିରୋସିମା, ନାଗାସାକି ପରେ ୟୁକ୍ରେନ୍ ଉପରେ ପରମାଣୁ ବୋମା ପକାଇ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଯୋଜନା କରୁଥିବା ଜଣାପଡିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ବିଶିଷ୍ଟ ଅନ୍ତର୍ଜାତୀୟ ବିଶେଷଜ୍ଞ ଥୋମାସ୍ ଫ୍ରାଏଡ୍ମ୍ୟାନ ଏହି ଆକଳନ କରିଛନ୍ତି, । ସାମରିକ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ଭାବେ ବେଶ ଜଣାଶୁଣା ଥୋମାସ ଫ୍ରାଏଡ୍ମ୍ୟାନ କହିଛନ୍ତି, ପୁଟିନ୍ ଏବେ ତାଙ୍କର ପ୍ଲାନ୍ ‘ବି’ ଚଳାଇଥିବା ବେଳେ ବାଇଡେନ୍ ଓ ଜେଲେନ୍ସ୍କି ପ୍ଲାନ୍ ‘ଏ’ କାର୍ଯ୍ୟକାରୀ କରୁଛନ୍ତି ।
ଆସନ୍ତୁ ଜାଣିବା ପ୍ଲାନ ଏ ଟୁ ଡି କଣ?

ପ୍ଲାନ-ଏ-ସୈନ୍ୟବାହୀନୀ ଧରି ୟୁକ୍ରେନ ଭିତରେ ପ୍ରବେଶ କରିବା ଓ ସମ୍ମୁଖ ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରି ଜେଲେନସ୍କିଙ୍କୁ ନଇଁବା ପାଇଁ ବାଧ୍ୟ କରିବା

ପ୍ଲାନ-ବି- ଯଦି ୟୁକ୍ରେନ ସେନା ପ୍ରତି ଆକ୍ରମଣ କରେ ତେବେ ୟୁକ୍ରେନର ଜନବସତି ଉପରେ ଆକ୍ରମଣ କରିବା । ଯାହା ଫଳରେ ୟୁକ୍ରେନ ଆତ୍ମସର୍ମପଣ କରିବାକୁ ବାଧ୍ୟ ହେବ ।

ପ୍ଲାନ-ସି-ୟୁକ୍ରେନ ସୀମାରେ ଥିବା ନାଟୋ ଦେଶ ଗୁଡିକ ଉପରେ ଆକ୍ରମଣ । ଫଳରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି ହେବ । ସେହି ଦେଶ ଗୁଡିକ ଜେଲେନସ୍କିଙ୍କ ଉପରେ ନରମିବା ପାଇଁ ଚାପ ପକାଇବେ ।

ବର୍ଷ ବର୍ଷ ଧରି ମଧ୍ୟପ୍ରାଚ୍ୟରେ ରୁଷିଆ ରାଷ୍ଟ୍ରପତି ପୁଟିନ୍ ଯେଉଁଭଳି ଢଙ୍ଗରେ ଅପ୍ରେଟ୍ କରୁଛନ୍ତି, ସେହି ଆଧାରରେ ଆକଳନ କରିଛନ୍ତି ଥୋମାସ୍ ଫ୍ରାଏଡ୍ମ୍ୟାନ୍ । ଏ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ବିସ୍ତୃତ ରିପୋର୍ଟ ।

ସେପଟେ ଯୁଦ୍ଧ ଭିତରେ ନାଟୋର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡମୀର ଜେଲେନସ୍କି । ନାଟୋ ଦେଶ ରୁଷକୁ ଭୟ କରୁଥିବା ଜେଲେନସ୍କି କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି କି ନାଟୋ ୟୁକ୍ରେନକୁ ସଦସ୍ୟତା ପ୍ରଦାନ ପାଇଁ ପ୍ରସ୍ତୁତ ଅଛି କି ନାହିଁ ସ୍ପଷ୍ଟ କରୁ । ଦୁନିଆ ସାମ୍ନାରେ ନାଟୋ ନିଜ ପକ୍ଷ ରଖୁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ଶୁକ୍ରବାର ନାଟୋ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ପୋଲାଣ୍ଡ ଆସୁଛନ୍ତି ବାଇଡେନ୍ ।