ପୌର ପାଇଁ ପ୍ରଚାର ସରିଲା । ଭୋଟରଙ୍କୁ ମନେଇବାକୁ ଶେଷ ପ୍ରୟାସ କଲେ ନେତା ।

100

କନକ ବ୍ୟୁରୋ : ଶେଷ ହେଲା ପୌର ନିର୍ବାଚନ ପାଇଁ ପ୍ରଚାର । ଦିନକ ପରେ ପଡିବ ଭୋଟ୍ । ତେଣୁ ଶେଷ ପର୍ଯ୍ୟାୟରେ ଭୋଟରଙ୍କ ମନ ଜିଣିବାକୁ ସବୁ ରାଜନୈତିକ ଦଳ ଜୋରଦାର ପ୍ରୟାସ କରିଥିଲେ । ଭୋଟରଙ୍କୁ ମନେଇବା ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ଭୁବନେଶ୍ୱରରେ ଦିନି ଦଳର ମେୟର ପ୍ରାର୍ଥୀ ସହରୀ ଭୋଟକୁ ହାତେଇବାକୁ ସବୁ ଉଦ୍ୟମ କରିଛନ୍ତି ।

ପୌର ନିର୍ବାଚନ ପାଇଁ ସରିଲା ପ୍ରଚାର । ଭୋଟରଙ୍କୁ ମନେଇବାକୁ ନେତାଙ୍କ ଶେଷ ପ୍ରୟାସ । ପୌରନିର୍ବାଚନ ପ୍ରଚାରର ଶେଷ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି ତିନି ପ୍ରମୁଖ ଦଳ । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ ଓ ଶହ ଶହ ବିଜେଡି କର୍ମୀଙ୍କୁ ସାଙ୍ଗରେ ନେଇ ବାଇକ ରାଲି କରିଛନ୍ତି । ଖୋଲା ଜିପରେ ବସି ପ୍ରଚାର କରିଛନ୍ତି ସୁଲୋଚନା ।

ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ମାରାଥନ ପ୍ରଚାର କରିଛନ୍ତି । ସୁନ୍ଦରପଦା ଅଞ୍ଚଳରେ ହଜାର ହଜାର କର୍ମୀଙ୍କ ସହ ଘର ଘର ବୁଲି ଭୋଟ ମାଗିଛନ୍ତି । ଭୁବନେଶ୍ୱର କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଖୋଲା ଗାଡିରେ ବୁଲି ଭୋଟ ମାଗିଛନ୍ତି । ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ରାଜଧାନୀବାସୀ ଏଥର ପରିବର୍ତନ ପାଇଁ ମନ ବଳାଇଥିବା ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ।

ସରିଲା ପୌର ପ୍ରଚାର । ପ୍ରଚାରର ଶେଷ ଦିନରେ ଯାଜପୁର ପୌରାଞ୍ଚଳରେ ସବୁ ଦଳ ଜୋରଦାର ପ୍ରଚାର କରିଛନ୍ତି । କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀ ବିଭିନ୍ନ ୱାର୍ଡର ଘରକୁ ଘର ବୁଲି ଭୋଟ ମାଗିଛନ୍ତି । ସେପଟେ ପ୍ରଚାରରେ କମ୍ପିଛି ଫୁଲବାଣୀ ସହର । ଫୁଲବାଣୀ ପୌରପରିଷଦ ବିଜେଡିରେ ପ୍ରଚାର ମଙ୍ଗ ଧରିଥିଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଜିଲ୍ଲାର ହେଭିୱେଟ ନେତା ରୋଡ ସୋ, ପ୍ରଚାର ସଭା କରି ଭୋଟ ମାଗିଛନ୍ତି ।

ସେପଟେ ଦେବଗଡ ପୌର ପରିଷଦରେ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ପ୍ରାର୍ଥୀ । ଢେଙ୍କାନାଳରେ ବିଜେଡିର ପ୍ରଚାର ମଙ୍ଗ ଢେଙ୍କାନାଳ ସାଂସଦ ମହେଶ ସାହୁ ଧରିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ନେଇ ରୋଡ ସୋ କରିଛନ୍ତି, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି ମଧ୍ୟ ତିନି ଦଳ ଜୋରଦାର ପ୍ରଚାର କରିଛନ୍ତି ।

ପୌର ପ୍ରଚାରର ଶେଷ ଦିନରେ ନବରଙ୍ଗପୁରରେ ପ୍ରଚାର କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେପଟେ ସୁନ୍ଦରଗଡରେ ବିଜେଡି ପଦ ଯାତ୍ରା କରି ପ୍ରଚାର କରିଛି, ଏଥିରେ ସାମିଲ ହୋଇଥିଲେ ପୂର୍ବତନ ସାଂସଦ ତଥା ହକି ତାରକା ଦିଲ୍ଲୀପ ତିର୍କୀ । ସେହିପରି ଜଟଣୀରେ ଧୁଆଁଧାର ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଟୋରେ ସମର୍ଥକ ଓ ଖୋଲାଜିପରେ ବସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ସୁର । ସେପଟେ ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି ସାଂସଦ ମୁନ୍ନା ଖାଁ । ଆଜି ପ୍ରଚାର ସରିଛି, ଗୁରୁବାର ପଡିବ ଭୋଟ, ଏବେ ନିଷ୍ପତି ଭୋଟରଙ୍କ ହାତରେ ରହିଛି ।