ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ନେଇ ଚିହିଁକି ଉଠିଛି ରୁଷିଆ । ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକା ଉପରେ ବର୍ଷିଲେ ରୁଷ ରାଷ୍ଟ୍ରପତି ପୁଟିନ୍

149

କନକ ବ୍ୟୁରୋ : ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହଠାତ୍ ୟୁକ୍ରେନ ଗସ୍ତ ଦେଖିଥିଲା ସାରା ବିଶ୍ୱ । ଆଉ ଆଜି ନିଜ ସଂସଦରେ ଶକ୍ତି ଦେଖାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଦେଶବାସୀଙ୍କୁ ସମ୍ବୋଧିତ କରି ପୁଟିନ୍ କହିଛନ୍ତି – ଯୁଦ୍ଧକୁ ଏଡାଇବା ପାଇଁ ଆରମ୍ଭରୁ ଅନେକ ରଣନୀତି ଆପଣାଇଛି ରୁଷିଆ । ହେଲେ ନାଟୋ ଓ ଆମେରିକା ଏହାକୁ ସଫଳ ହେବାକୁ ଦେଲେ ନାହିଁ । ଆମେ ଏବେ ବି ଆଲୋଚନା ଚାହୁଁଛୁ । ହେଲେ ଆମ ସର୍ତ ସେମାନଙ୍କୁ ମଂଜୁର ନାହିଁ ବୋଲି ପୁଟିନ୍ କହିଛନ୍ତି । ଏଥିସହ ସେ କହିଛନ୍ତି ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ ଆଗ୍ରହି କିନ୍ତୁ ବାଧକ ସାଜୁଝି ଆମେରିକା ଓ ପାଶ୍ଚାତ୍ୟ ଦେଶ । ଆଲୋଚନା ପାଇଁ ରୁଷିଆ ଚାହିଁଲେ ବି ଏହାକୁ ଅଣଦେଖା କରାଯାଉଛି । ଆମେରିକା ସବୁବେଳେ ରୁଷିଆକୁ ଅଣଦେଖା କରୁଛି । ୟୁକ୍ରେନକୁ ଟଙ୍କା ଦେଇ ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି ଆମେରିକା । ଜି-୭ ସଙ୍ଗଠନ ବି ଯୁଦ୍ଧ ପାଇଁ ଟଙ୍କା ପଠାଉଛି । ପୁଟିନ ଏକଥା ମଧ୍ୟ କହିଛନ୍ତି ଆମର ଯୁଦ୍ଧ ୟୁକ୍ରେନ ଲୋକଙ୍କ ସହ ନୁହେଁ । ବିଶ୍ୱ ଭଲଭାବେ ଜାଣିବା ଉଚିତ୍ ଯୁଦ୍ଧରେ ରୁଷିଆକୁ ହରାଇବା ଅସମ୍ଭବ । ଯୁଦ୍ଧ ଭିତରେ ବାଇଡେନଙ୍କ ୟୁକ୍ରେନ ଯିବା ଆଉ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମର୍ଥନ ଜଣାଇବା ଅନ୍ତର୍ଜାତୀୟ ସ୍ତରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ୟୁକ୍ରେନ୍ ଗସ୍ତର ଗୋଟିଏ ଦିନ ପରେ ଆଜି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶକ୍ତି ପ୍ରଦର୍ଶନ । ଆଉ ୩ ଦିନରେ ୟୁକ୍ରେନ ରୁଷିଆ ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଥିବାବେଳେ କ୍ରେମନିଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପୁଟିନ୍ ।