ସାବରକର, ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ହିଂସା : କର୍ଣ୍ଣାଟକର ଶିବମୋଗାରେ ବ୍ୟକ୍ତିଙ୍କୁ ଛୁରାମାଡ କରିଥିବା ୪ ଅଭିଯୁକ୍ତ ଗିରଫ

109

କନକ ବ୍ୟୁରୋ: ସୋମବାର ଶିବମୋଗା ଜିଲ୍ଲାରେ ଦେଶପ୍ରେମୀ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ଘଟିଥିବା ଛୁରାମାଡ ଘଟଣାରେ କର୍ଣ୍ଣାଟକ ପୋଲିସ ମଙ୍ଗଳବାର ଚାରି ଜଣଙ୍କୁ ଗିରଫ କରିଛି। ଏପର୍ୟ୍ୟନ୍ତ ପୋଲିସ ନଦୀମ (୨୫), ଅବଦୁଲ ରେହମାନ (୨୫) ଏବଂ ଜବିଉଲ୍ଲା ବୋଲି ଗିରଫ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ପ୍ରକାଶ କରିଛି। ଗିରଫ ହୋଇଥିବା ଚାରି ଜଣଙ୍କ ବିରୋଧରେ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

 

କର୍ଣ୍ଣାଟକରେ ବୀର ସାବରକର ଓ ମୈସୁର ଶାସକ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ ଉପୁଜିଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା, ଯାହା ପରେ ପ୍ରଶାସନ ସମଗ୍ର ସହରରେ ଧାରା ୧୪୪ ଲାଗୁ କରିଛି। ସ୍ୱାଧୀନତା ଦିବସଅର୍ଥାତ୍ ସୋମବାର ଦିନ ଏଭଳି କିଛି ଘଟଣା ଘଟିଥିଲା।

ସୂଚନା ମୁତାବକ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଆମୀର ଅହମ୍ମଦ ଛକରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଏକ ଗୋଷ୍ଠୀ ସାବରକରଙ୍କ ବ୍ୟାନର୍‌ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ସେହି ଖୁଣ୍ଟରେ ଟିପୁ ସୁଲତାନଙ୍କୁ ବ୍ୟାନର ଲଗାଇବାକୁ ଉକ୍ତ ଗୋଷ୍ଠୀ ଚାହୁଥିଁଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ପରେ ଏହା ସଂଘର୍ଷର ରୂପ ନେଇଥିଲା।