ଗୋଟିଏ ରାତିରେ ରାସ୍ତାରୁ ଉଠିଗଲା ପିଚୁ । ମେୟର କହିଲେ, ବର୍ଷା ଯୋଗୁଁ ଅଧାରେ ବନ୍ଦ ଅଛି କାମ

105

କନକ ବ୍ୟୁରୋ : ଗୋଟିଏ ରାତିରେ ରାସ୍ତାରୁ ଉଠିଗଲା ପିଚୁ । ବୁଧବାର ରାତିରେ କଟକ ମଧୁପାଟଣା ବାଦାମବାଡି ଲିଙ୍କରୋଡ ମୁଖ୍ୟରାସ୍ତାରେ କାମ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଗୁରୁବାର ସକାଳ ହେଲା ବେଳକୁ ରାସ୍ତାରେ ଆଉ ପିଚୁ ନଥିଲା । ମୁଖ୍ୟରାସ୍ତା ସାରା ପଡିଥିଲା ଖାଲି ଗୋଡି । ଆଉ ବଡ଼ କଥା ହେଉଛି ଏପରି ନିମ୍ନମାନର କାମ କିଏ କରିଛି, ସେ ନେଇ କର୍ତୃପକ୍ଷ ମଧ୍ୟ କିଛି କହିପାରୁନାହାନ୍ତି ।
ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ସିଏମସିରେ ବସିଥିବା ବୈଠକରେ କୌଣସି ବିଭାଗର ଅଧିକାରୀ ଏହି କାମର ଉତରଦାୟିତ୍ୱ ନନେବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଏ କରିଛି ସେ ନେଇ କିଛି ଜାଣିନଥିବା ଯନ୍ତ୍ରୀମାନେ ମେୟରକୁ ସଫା ସଫା ଉତର ଦେଇଛନ୍ତି । ଏଭଳି ରାସ୍ତା କାମକୁ ନେଇ ଅଭିଯୋଗ ଆସିବା ପରେ ସିଏମସି ବୈଠକରେ ଏନେଇ ମେୟର ପ୍ରଶ୍ନ କରିଥିଲେ । କିନ୍ତୁ ବୈଠକରେ ଉପସ୍ଥିତ ପୂର୍ତ ବିଭାଗ ନିର୍ବାହ ଯନ୍ତ୍ରୀ ଓ ଜାଇକା ଯନ୍ତ୍ରୀ ସେମାନେ ରାସ୍ତା କରିନାହାନ୍ତି ବୋଲି କହିଥିଲେ । ତେବେ ରାସ୍ତାରେ ପଡିଥିବା ବଜୁରୀକୁ ଉଠାଇବା ସହ ଭଲଭାବେ ଏହାର ମରାମତି କରିବାକୁ ତାଗିଦ କରିଥିଲେ ମେୟର ସୁବାସ ସିଂ ।